କନକ ବ୍ୟୁରୋ: ମା’ଲୋ ମତେ ଭୋକ ଲାଗିଲାଣି
ଧନ ଲୋ, ଜମା ବ୍ୟସ୍ତ ହଅନି, ମଣିଷ ଆମ ପାଇଁ ଖାଇବା ଆଣିଦେଇଛି
ଦେଖୁନୁ ମଣିଷ ଆମକୁ କେତେ ସ୍ୱାଦିଷ୍ଟ ସପୁରୀ ଦେଇଛି
ହଁ ଲୋ ମା’... ମଣିଷ କେତେ ଭଲ... ଆମ ପେଟ କଥା ବୁଝି ଆମକୁ ଖାଇବାକୁ ଦଉଛି ।
ହୁଏତ ଗର୍ଭବତୀ ଥିବା ଜଣେ ମା’, ଆଉ ତା ପେଟରେ ବଢୁଥିବା କଅଁଳ କଢି ମଧ୍ୟରେ ଭୋକକୁ ନେଇ କିଛି ଏମିତି କଥାବାର୍ତ୍ତା ହୋଇଥିବ । କାରଣ ସେ ପଶୁ, ପାଟି ଫିଟୁନି ବୋଲି ସେ ମଣିଷଠୁ କେବଳ ସ୍ନେହ ମମତାର ମୂଲ ବୁଝିଛି । ଆଉ ସେଇଥିପାଇଁ ତ ଏହି ବହୁରୂପୀ ମଣିଷକୁ ଅନ୍ଧ ଭଳି ବିଶ୍ୱାସ କରିନେଇଥିଲା ଗର୍ଭବତୀ ହାତୀ । ଆଉ ତା ହାତରୁ ସ୍ୱାଦିଷ୍ଟ ସପୁରୀକୁ ସ୍ନେହ ଭାବି ଖାଇନେଲା । ହେଲେ ସିଏ ବୁଝିପାରିନଥିଲା ବେଇମାନ୍ ମଣିଷର ବାହାନା ଆଉ ଛଳନା ।
ବିଶ୍ୱାସରେ ବିସ୍ଫୋରଣର ବିଷ ଭରିଦେଲା ବେଇମାନ ମଣିଷ
ସତରେ କିଏ ପଶୁ, ନିରୀହ ହାତୀ ନା ସଇତାନ୍ ମଣିଷ
କେରଳରୁ କନ୍ୟାକୁମାରୀ, ସୋସିଆଲ୍ ମିଡିଆରେ ଆଜି କାନ୍ଦୁଛି ସାରା ବିଶ୍ୱ । ଯେବେ ମଣିଷ ପଶୁ ପାଲଟି, ନିଜ ହାତରେ ମଣିଷପଣିଆକୁ ମାରି ଦେଇଛି, ସେତେବେଳେ ଏ ମଣିଷ ସମାଜ, ସୋସିଆଲ ମିଡିଆକୁ ଆସି ସମବେଦନା ଜଣାଉଛି । ମଣିଷ ନୃଶଂସତାର ସବୁ ସୀମା ବି ପାରି କରିପାରେ, କେରଳର ଏହି ଛାତିଥରା ଘଟଣା ମୁହଁ ଖୋଲି ବର୍ଣ୍ଣନା କରୁଛି । ଯେଉଁ ସପୁରୀକୁ ସ୍ନେହ ଭାବି ସେ ଖାଇନେଲା, ସଇତାନ ମଣିଷ ସେହି ସପୁରୀ ଭିତରେ ଭରିଦେଇଥିଲା ସମ୍ପର୍କର ବାରୁଦ ।
ସେ ଗର୍ଭବତୀ ଥିଲା...ସେ ଭୋକିଲା ବି ଥିଲା
ସେ ଗୋଟିଏ ଭୁଲ କଲା...ସେ ମଣିଷକୁ ବିଶ୍ୱାସ କରିନେଲା
ସେ ପଶୁ, ସେ ଜାଣିନି ବାହାନା, ଛଳନା ଆଉ ବିଶ୍ୱାସ ଘାତକତା । ସେ ଜାଣିନି ଜାତି, ଧର୍ମ, ବର୍ଣ୍ଣ ଭିତରେ ବିଭେଦତା । ଆଉ ସେଇଥିପାଇଁ ତ ତା କୁନି ଛୁଆ ଆଗରେ ସେ ଆଜି ଦୋଷୀ ହୋଇଛି । ଆଉ ତାକୁ ବଞ୍ଚାଇପାରିନଥିବାରୁ ତାକୁ ଭୁଲ ମାଗୁଛି । କେରଳର ଏହି କରୁଣ କାହାଣୀ ଗୋଟିଏ ପ୍ରଶ୍ନ ପଚାରୁଛି, କଣ ସତରେ ଆମେ ମଣିଷ ? ଆମ ଭିତରେ କଣ ଟିକିଏ ବି ମଣିଷପଣିଆ ନାହିଁ ? ଆମେ କ’ଣ ସତରେ ଏତେ ତଳକୁ ଖସିଯାଇପାରୁ ? ହୁଏତ ନିରୀହ ହାତୀ ଆଉ ତା ପେଟ ଭିତରେ ଥିବା ଛୁଆ ପାଇଁ ସୋସିଆଲ ମିଡିଆରେ ଆମେ ଦିନେ କି ଦୁଇଦିନ ସମବେଦନା ଜଣାଇବା । କିନ୍ତୁ ମଣିଷର ଏହି ବେଇମାନ୍ ଆଉ ନୃଶଂସତାର କାହାଣୀ, ଇତିହାସରେ ସବୁଦିନ ପାଇଁ ରହିଗଲା ।
ତେବେ ଅନ୍ୟପଟେ ହାତୀର ହତ୍ୟାକାରୀ ହାତରେ ହାତକଡ଼ି ପଡ଼ିଛି ସତ କିନ୍ତୁ ସେ ଯେଉଁ ବିଶ୍ୱାସ ସହ ମଣିଷ ହାତରୁ ସ୍ନେହଭରା ସପୁରୀକୁ ଖାଇଲା ବେଇମାନ ମଣିଷ ସେହି ବିଶ୍ୱାସରେ ବିସ୍ଫୋରଣର ବିଷ ଭରିଦେଲା । ଯାହା ଜଣେ ପଶୁ ଆଉ ମଣିଷ ଭିତରେ ଥିବା ପାର୍ଥକ୍ୟକୁ ହୁଏତ ମଣିଷ ସମାଜକୁ ବୁଝାଇଦେଇଛି ଆଉ ପ୍ରଶ୍ନ କରିଛି ଆମେ କ’ଣ ସତରେ ଗୋଟେ ପଶୁଠୁ ବି ହୀନ ମାନସିକତା ରଖିଛୁ?