କେରଳ ବିମାନ ଦୁର୍ଘଟଣାରେ ୧୭ ଜଣଙ୍କ ମୃତ୍ୟୁ । ୧୨୩ ଯାତ୍ରୀ ଆହତ, ୧୫ ଜଣ ଗୁରୁତର : ପ୍ରାଣ ହରାଇଲେ ବିମାନର ଦୁଇ ପାଇଲଟ, ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲା ଡିଜିସିଏ

238

କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ କେରଳରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ୧୭ ଜଣଙ୍କ ଜୀବନ ଯାଇଛି । ଦୁର୍ଘଟଣାରେ ଦୁଇ ଜଣ ପାଇଲଟ ପ୍ରାଣ ହରାଇଛନ୍ତି । ଅନ୍ୟ ୧୨୩ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଡିଜିସିଏ ପକ୍ଷରୁ ବିମାନ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଘଟଣା ପରେ ମାଲାପୁରମରୁ ୫୦ ଜଣିଆ ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଁଚି ତୁରନ୍ତୁ ଉଦ୍ଧାରକାର୍ଯ୍ୟ କରିଥିଲେ । ୨ ଘଂଟା ମଧ୍ୟରେ ସମସ୍ତ ଯାତ୍ରୀ ଉଦ୍ଧାର ହୋଇଥିଲେ । ଦୁର୍ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ମୁଖ୍ୟମନ୍ତ୍ରୀଙ୍କ ସହ କଥାହୋଇଛନ୍ତି ।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଗୃହ ମନ୍ତ୍ରୀ ଅମିତ ଶାହା ପ୍ରମୁଖ ଟ୍ୱିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସକାଳେ କେରଳରେ ଭୂସ୍ଖଳନ ଘଟି ୧୭ ଜଣଙ୍କ ଜୀବନ ଯିବା ପରେ ରାତିରେ ବିମାନ ଦୁର୍ଘଟଣାରେ ଆଉ ୧୭ ଜଣ ପ୍ରାଣ ହରାଇଛନ୍ତି ।

ବନ୍ଦେ ଭାରତ ମିଶନ ଜରିଆରେ ଏୟାର ଇଣ୍ଡିଆର ଏକ୍ସପ୍ରେସ୍ ଆଇଏକ୍ସ ୧୩୪୪ ବିମାନଟି ୧୯୦ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ଆସୁଥିଲା । ଏଥିରେ ୧୭୪ ଜଣ ଯାତ୍ରୀ , ୧୦ ଶିଶୁ, ୨ ପାଇଲଟ, ଏବଂ ୪ ଜମ ବିମାନ କର୍ମଚାରୀ ଥିଲେ । କେରଳରେ ଗତକାଲି ପ୍ରବଳ ବର୍ଷା ହୋଇଥିଲା । ପାଗ ଖରାପ ଯୋଗୁଁ ଭିଜିବିଲିଟି କମି ଯାଇଥିଲା । ଏଥିପାଇଁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି । ସଂଧ୍ୟା ପ୍ରାୟ ୭ଟା ୪୦ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

କୋଝିକୋଡ ବିମାନ ବନ୍ଦରରେ ବିମାନ ଅବତରଣ ପରେ ରନୱେରେ ନିୟନ୍ତ୍ରଣ ହରାଇ ଖସି ଯାଇଥିଲା । ଏହାପରେ ୩୦ ଫୁଟର ଏକ ଖାଇରେ ପଡି ଯାଇଥିଲା ବିମାନ । ଫଳରେ ବିମାନର ଆଗ ଭାଗ ଦୁଇ ଖଣ୍ଡ ହୋଇ ଯାଇଥିଲା । ତେବେ ସୌଭାଗ୍ୟବଶତ ବିମାନରେ ନିଆଁ ଲାଗିନଥିଲା । ପ୍ରବଳ ବର୍ଷା ଯୋଗୁ ବିମାନ ଦୀର୍ଘ ସମୟ ଧରି ଆକାଶରେ ଚକ୍କର କାଟିଥିଲା । ଅବତରଣ ପାଇଁ ପ୍ରଥମ ଉଦ୍ୟମ ବିଫଳ ହେବା ପରେ ଦ୍ୱିତୀୟ ଉଦ୍ୟମ କରିଥିଲା । ଯେଉଁଥିରେ ବିଫଳ ହୋଇଥିଲେ ପାଇଲଟ୍ ।