କେରଳ ଉପରେ ସମୟର କରାଳ ରୂପ । ପ୍ରଥମେ କରୋନା, ପରେ ବନ୍ୟାର ବିଭୀଷିକା ପାଇଁ ମାଟି ଧସାଇ ମୃତ୍ୟୁ ରଚିଲା ତାଣ୍ଡବ । ଆଉ ସଞ୍ଜରେ ମାଟି ଛୁଇଁବା ପୂର୍ବରୁ ଫାଶ ବସାଇ ଟାଣିନେଲା ଯମ । କରୋନା କବଳରୁ ବର୍ତ୍ତିଥିବା ଜୀବନ କେରଳରେ ଲିଭିଗଲା…

1,190

କନକ ବ୍ୟୁରୋ: କେରଳ ପାଇଁ କଠୋର ସାଜିଲା ସମୟ । କେରଳ ଆକାଶରେ ଘୁରି ବୁଲୁଛି କାଳ ରାତ୍ରୀର କଳା ବାଦଲ । ଯେତେବେଳେ ଦିନ ବୁଡି ସଞ୍ଜ ନଉଁଛି ଠିକ ସେତିକି ବେଳେ କେରଳରେ ଛକି ବସିଥିଲା କାଳ । ଆଉ ସଞ୍ଜ ନଇଁବା କ୍ଷଣି ଆକାଶରୁ ଆସୁଥିବା ବିମାନ କାଳ ସଞ୍ଜର କବଜା ଭିତରକୁ ପଶିଯାଇଥିଲା । ବାସ୍ ତାପରେ ଦୁବାଇରୁ ଆସିଥିବା ବିମାନ ଦୁଇ ଖଣ୍ଡ ହୋଇଯାଇଥିଲା । କେରଳ କୋଝିକୋଡରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି ।

ତେବେ କରୋନା ଫାଶରୁ ବର୍ତ୍ତି ଦୁବାଇରୁ ନିଜ ମାଟିକୁ ଫେରୁଥିଲେ ପ୍ରବାସୀ ଭାରତୀୟ । ବନ୍ଦେ ଭାରତ ମିଶନ ଜରିଆରେ ଦୁବାଇରୁ ଫେରୁଥିଲେ । ହେଲେ କିଏ ଜାଣିଥିଲା କରୋନାରୁ ବଞ୍ଚିଯାଇଥିବା ଜୀବନ ମାଟି ଛୁଇଁବା ପୂର୍ବରୁ ମୃତ୍ୟୁର କାଳ ଫାଶରେ ଫସିଯିବ ବୋଲି । ଆଉ ଚାହୁଁ ଚାହୁଁ ସବୁ ଖୁସି ମାଟିରେ ମିଶିଯିବ ବୋଲ. ବିମାନ ଦୁଇଖଣ୍ଡ ହୋଇଯିବ ବୋଲି ।

ଖରାପ ପାଗ ଆଉ ବର୍ଷା ପାଇଁ ବିମାନ ଦୁର୍ଘଟଣା ହୋଇଥିବା ବେଳେ ଏଯାଏଁ ୧୫ ଜଣଙ୍କ ମୃତ୍ୟୁ ହେବା ସହ ୧୨୩ ଜଣ ଆହତ ହୋଇଛନ୍ତି । ଆଉ ୨ ଜଣ ପାଇଲଟ ଆଖି ବୁଜିଛନ୍ତି । ତେବେ କାଳ ରାତିର ଏ କାଳ ସଞ୍ଜରେ ଅନେକ ଜୀବନ ଦୀପ ଲିଭିଯାଇଛି । ଆଉ କାଳ କେରଳର ପିଛା ଛାଡୁନି । କାରଣ ବିମାନ ଦୁର୍ଘଟଣା ପୂର୍ବରୁ ଆଜି ବନ୍ୟା ବିତ୍ପାତ ପାଇଁ ମାଟି ଧସି ୧୮ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରଥମେ କରୋନା ପାଇଁ କେରଳ ହନ୍ତସନ୍ତ ହେଉଥିବା ବେଳ ଆଜି ବନ୍ୟାର ବିକଟାଳ ରୂପ ଆଉ ପୁଣି ବିମାନ ଦୁର୍ଘଟଣା କେରଳ ବାସୀଙ୍କ ଛାତିରେ ଛନକା ପଶାଇଛି ।