କାହିଁକି ପିଏଚଡି କରି ଅଟୋ ଚଳାଉଛନ୍ତି ଯୁବକ ? ଯୁବକଙ୍କ ମୁହଁରେ ନିଜ ଅଟୋ ଚଳାଇବାର କାହାଣୀ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
କନକ ବ୍ୟୁରୋ: କେରଳର ଅଜିତ୍ କେପିଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ପାଠ ପଢ଼ା ସହ ସେ ଯେଉଁଭଳି ଭାବରେ ଅଟୋ ଚଳାଇବା ଜାରି ରଖିଛନ୍ତି, ତାହା ଏବେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି। ଛୋଟ ବେଳେ ସେ କେବଳ ଦଶମ ପର୍ୟ୍ୟନ୍ତ ପାଠ ପଢ଼ିବାର ସ୍ବପ୍ନ ଦେଖୁଥିବା ସହ ଦଶମ ପରେ ଅଟୋ ଚଳାଇବା ପାଇଁ ଲକ୍ଷ୍ୟ ରଖିଥିଲେ। ଦଶମ ପରୀକ୍ଷାରେ ସଫଳ ହେବା ପରେ ସେ ନିଜର ଅଟୋ ଚଳାଇବାର ସ୍ବପ୍ନ ପୂରଣ କରିଥିଲେ। କିନ୍ତୁ ଭାଗ୍ୟ ତାଙ୍କ ପାଇଁ କିଛି ଭିନ୍ନ ଯୋଜନା କରିଥିଲା। ଦଶମ ଶ୍ରେଣୀ ପର୍ୟ୍ୟନ୍ତ ପାଠ ପଢ଼ିବା ପାଇଁ ଭାବି ସାରିଥିବା ଅଜିତ୍ ଧିରେ ଧିରେ କଲେଜ ଯିବା ସହ ପାଠ ପଢ଼ିଥିଲେ। ଅଟୋ ଚଳାଇ ଆୟ କରୁଥିବା ଟଙ୍କା ସାହାଯ୍ୟରେ ସେ କଲେଜ ପାଠ୍ୟକ୍ରମ ସାରିବା ସହ ଲୋକପ୍ରିୟ ସଙ୍ଗୀତ ଏବଂ ରଙ୍ଗମଞ୍ଚର ଗୀତରେ ପିଏଚଡି ହାସଲ କରିଥିଲେ। ଏହା ପରେ ସେ ଏବେ କଲେଜରେ ଅତିଥି ଅଧ୍ୟାପକ ଭାବେ କାମ କରିବା ଆରମ୍ଭ କରିଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଅଧ୍ୟାପକ ହେବା ପରେ ମଧ୍ୟ ସେ ଅଟୋ ଚଳାଇବା ବନ୍ଦ କରି ନାହାନ୍ତି। ଏବେ ମଧ୍ୟ ସେ ସପ୍ତାହ ଶେଷରେ ଅଟୋ ଚଳାଇ ଲୋକଙ୍କୁ ସାହାଯ୍ୟ ଯୋଗାଉଛନ୍ତି। ଚାକିରି ସହ ସେ କ’ଣ ପାଇଁ ଅଟୋ ଚଳାଇବା ଜାରି ରଖିଛନ୍ତି ସେ ବିଷୟରେ ପଚରାଯିବା ପରେ ସେ କହିଥିଲେ, ମୁଁ ମୋ ଅଟୋରେ ଅନେକ ରୋଗୀ ଏବଂ ବୃଦ୍ଧ ଲୋକଙ୍କୁ ଡାକ୍ତରଖାନାରେ ପହଞ୍ଚାଇଛି। ସେମାନଙ୍କ ସହ କଥା ହୋଇ ମୁଁ ଅନେକ ଜିନିଷ ଶିଖିବା ସହ ବହିରେ ନଥିବା ଅନେକ କଥା ଜାଣିବାକୁ ପାଇଛି। ଏହା ମୋତେ ଏକ ଭଲ ମଣିଷ କରିବାରେ ସାହାଯ୍ୟ କରିଛି। ଆଜି ମୁଁ ଯେଉଁଠି ପହଞ୍ଚିଛି, ସେଠାରେ ପହଞ୍ଚିବାରେ ମୋତେ ମୋର ଅନେକ ଯାତ୍ରୀ ସାହାଯ୍ୟ କରିଛନ୍ତି। ସେଥିପାଇଁ ମୁଁ ଅଟୋ ଚଳାଇବା କେବେ ବି ଛାଡ଼ିବି ନାହିଁ। ଛୋଟ ବେଳେ ଘରର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ମୋତେ ମାଛ ବିକ୍ରି କରିବାକୁ ପଡ଼ୁଥିଲା। ଯାହା ପାଇଁ ଦଶମ ପର୍ୟ୍ୟନ୍ତ ପଢ଼ି ମୁଁ ଅଟୋ ଚଳାଇବି ବୋଲି ଭାବିଥିଲି। ଅଟୋ ଚଳାଇବା ପରେ ମୁଁ ଅନେକ ଜିନିଷ ଶିଖିଲି ଏବଂ ଏହା ମୋତେ ପାଠ ପଢ଼ି ଚାକିରି କରିବାରେ ଅନେକ ସାହାଯ୍ୟ କରିଛି।