ଗାଡ଼ି ନଥାଉ, ମୋ ବାପାଙ୍କୁ ମୁଁ କାଖେଇ ନେଇଯିବି…ଲକଡ଼ାଉନରେ ଗାଡ଼ି ଛାଡ଼ିଲାନି ପୋଲିସ । ଅସୁସ୍ଥ ବାପାଙ୍କୁ କାଖେଇ ନେଇ ମେଡିକାଲକୁ ଗଲେ ପୁଅ ।

1,120

କନକ ବ୍ୟୁରୋ : ବାପା । ଏହି ଡାକରେ ଏକ ଅପୂର୍ବ ଶକ୍ତି ରହିଥାଏ । ନିଜ ପୁଅ ଝିଅଙ୍କ ସବୁ ଅଳି ଅଝଟକୁ ଅତି ଆଦରରେ ଦୂର କରିଥାନ୍ତି ବାପା । ଆଉ ଯେତେବେଳେ ବାପାଙ୍କ ଦେହ ଖରାପ ହୋଇଛି, କେମିତି ବା ନିଜକୁ ସମ୍ଭାଳିପାରିବ ପୁଅ । ଆଉ ବୋଧେ ସେଇଥିପାଇଁ ପୋଲିସ ଗାଡି ନଛାଡିବାରୁ ବାପାଙ୍କୁ କାଖେଇ ଚିକିତ୍ସା ପାଇଁ ମେଡିକାଲକୁ ନେଇଆସିଛି ପୁଅ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କେରଳରେ ।

କରୋନା ଭାଇରସର ମୁକାବିଲା ପାଇଁ ସାରା ଦେଶ ଏବେ ଲକଡାଉନ୍ । ବନ୍ଦ ରହିଛି ପରିବହନ ସେବା, ଗଡୁନି ଗାଡି । ଆଉ ଏଭଳି ସ୍ଥିତିରେ ହଠାତ ବାପାଙ୍କ ଦେହ ଖରାପ ହେବାରୁ ନିଜ ଗାଡିରେ ବାପାଙ୍କୁ ନେଇ ହସ୍ପିଟାଲ ବାହାରିଲେ ପୁଅ । ହେଲେ ବାଟରେ ତାଙ୍କ ଗାଡିକୁ ଅଟକାଇଲା ପୋଲିସ । ଯେତେ ନେହୁରା ହେଲେବି, ଗାଡିକୁ ଛାଡିଲେନି । ବାପାଙ୍କୁ କେମିତି ମେଡିକାଲ୍ ନେବେ ସେନେଇ ଚିନ୍ତାରେ ପଡିଗଲେ ପୁଅ । କିଛି ଉପାୟ ନପାଇ ବାପାଙ୍କୁ କାଖେଇ ସେ ହସ୍ପିଟାଲକୁ ନେଇଆସିଲେ ।

ଏହି ଦୃଶ୍ୟ ଯେତିକି ଭାବବିହ୍ୱଳ ଥିଲା, ସେତିକି ହୃଦୟ ବିଦାରକ ମଧ୍ୟ । ତେବେ ଥରେ ଭାବନ୍ତୁ, ୧ କିଲୋମିଟର ଦୂରରେ ହସ୍ପିଟାଲ ଥିଲା ବୋଲି ସିନା, ଠିକ୍ ସମୟରେ ସେ ବାପାଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଗଲେ । କିନ୍ତୁ ଯଦି ଦୂରରେ ହସ୍ପିଟାଲ ରହିଥାନ୍ତା, ତେବେ ସେ କଣ କରିଥାନ୍ତେ । ଦେଶର ଏଭଳି ସମୟରେ ଯାନବାହାନ ବନ୍ଦ ରହିଥିଲେ ମଧ୍ୟ, ଅତ୍ୟାବଶ୍ୟକ ସେବା ଜାରି ରହିଛି । ଆଉ ଏଭଳି ସ୍ଥିତିରେ ଜଣେ ରୋଗୀଙ୍କୁ ମେଡିକାଲ ଯିବାକୁ କେମିତି ଅଟକାଇଲେ ପୋଲିସ ।

କରୋନା ଯୁଦ୍ଧରେ ଏବେ ଆଗଧାଡିର ଯୋଦ୍ଧା ହୋଇ ଆମ ପାଇଁ ଲଢୁଛନ୍ତି ପୋଲିସ କର୍ମଚାରୀ । କିନ୍ତୁ ଆମେ ଏତିକି ଅନୁରୋଧ କରିବୁ, ଏମିତି ସ୍ଥିତିରେ ଲୋକଙ୍କ ଗାଡିକୁ ଯଦି ଅଟକାଯାଉଛି ତେବେ, ରୋଗୀଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡାକି ମେଡିକାଲକୁ ପଠାଉ ପୋଲିସ ।