କେରଳରେ ଭୂସ୍ଖଳନ । ୧୭ ମୃତ, ଅନେକ ଆହତ

କେରଳରେ ଭୂସ୍ଖଳନ । ୧୭ ମୃତ, ଅନେକ ଆହତ

କନକ ବ୍ୟୁରୋ : କେରଳରେ ପ୍ରବଳ ବର୍ଷା ପରେ ଇଡ଼ୁକ୍କି ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ ହୋଇଛି ଏବଂ ଏଥିରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୧୬ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଆହୁରି ୫୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି। ସେମାନେ ମାଟି ତଳେ ପୋତି ହୋଇ ରହିଥିବା କୁହାଯାଉଛି। ଭୂସ୍ଖଳନ ଯୋଗୁଁ ୨୦ରୁ ଅଧିକ ଘର ମାଟିରେ ମିଶି ଯାଇଛି।

ଭୋର୍‌ ସମୟରେ ଏହି ଭୟଙ୍କର ବିପର୍ଯ୍ୟୟ ଘଟିଛି। ଇଡ଼ୁକ୍କିର ରାଜମଲାଇ ଅଞ୍ଚଳରେ ଟି ଇଷ୍ଟେଟ୍‌ କର୍ମଚାରୀଙ୍କର ଏକ ବସତି ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ଏଠାରେ ପ୍ରାୟ ୮୪ ଜଣ ରହୁଥିଲେ। ଏହା ମୁନ୍ନାର୍‌ ହିଲ୍‌ ରିସୋର୍ଟ୍‌ଠାରୁ ପ୍ର‌ାୟ ୨୫ କିମି ଦୂର। ଭୂ୍ସ୍ଖଳନ ସମୟରେ ଅଧିକାଂଶ ଲୋକ ଶୋଇଥିଲେ ଏବଂ ସେମାନେ ନିଜ ଜୀବନ ବଞ୍ଚାଇ ପାରିନାହାନ୍ତି। ଜିଲ୍ଲାପାଳ ଏଚ୍‌ ଦିନେଶାନ୍‌ଙ୍କ କହିବା ଅନୁଯାୟୀ ଜଣେ କର୍ମଚାରୀ ନିଜ ଜୀବନ ବଞ୍ଚାଇବା ସହ ଏରାଭିକୁଲମ୍‌ ବନ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାରକ‌ାର୍ୟ୍ୟରେ ବାଧା ଉପୁଜିଛି। ଦିନେଶାନ୍‌ଙ୍କ ଅନୁଯାୟୀ ୧୬ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ ନିଆଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରତି ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‌ ପାଣ୍ଠିରୁ ୨ ଲକ୍ଷ ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରାଯାଇଛି। ଇଡ଼ୁକ୍କି ଜିଲ୍ଲାରେ ଲଗାତାର ୩ ଦିନ ଧରି ପ୍ରବଳ ବର୍ଷା ହେଉଥିଲା। ବିଦ୍ୟୁତ୍‌‌ ସଂଯୋଗ ମଧ୍ୟ ବିଚ୍ଛିନ୍ନ ହୋଇ ଯାଇଥିଲା। ଅଞ୍ଚଳକୁ ସଂଯୋଗ କରୁଥିବା ଏକ ପୋଲ ପ୍ରବଳ ବର୍ଷା ଯୋଗୁଁ ଗତକାଲି ଧୋଇ ହୋଇ ଯାଇଛି।

ଫଳରେ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ଏନ୍‌ଡିଆରଏଫ୍‌ ଟିମ୍‌ ସହ ରାଜ୍ୟ ଅଗ୍ନିସେବା ବିଭାଗର ୫୦ ଜଣିଆ ସଦସ୍ୟ ବିଶିଷ୍ଟ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ‌୍ ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଛନ୍ତି ବୋଲି କେରଳ ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ପକ୍ଷରୁ ବାୟୁସେନା ହେଲିକପ୍ଟରର ସହଯୋଗ ଲୋଡ଼ାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe