କେରଳରେ ପୁଣି ବଢିବାରେ ଲାଗିଛି କରୋନା ସଂକ୍ରମଣ । ୧୧୧ ଜଣଙ୍କୁ ସଂକ୍ରମିତ କରୁଛନ୍ତି ଜଣେ ଆକ୍ରାନ୍ତ । ତିନି ଦିନ ହେଲା ୨୦ ହଜାର ଉପରେ ରହୁଛି ସଂକ୍ରମଣ 

114

କନକ ବ୍ୟୁରୋ: ଚିନ୍ତା ବଢାଇବାରେ ଲାଗିଛି କେରଳରେ କରୋନା ସଂକ୍ରମଣ । ବକ୍ରି-ଇଦ୍ ପାଇଁ କେରଳ ସରକାରଙ୍କ ଦ୍ୱାରା କଟକଣା କୋହଳ ହେବା ପରେ, ଏବେ ରାଜ୍ୟରେ ପରିସ୍ଥିତି ବେଶ ଭୟଙ୍କର ହେବାରେ ଲାଗିଛି । ଦୈନିକ ସଂକ୍ରମଣ ୨୦ ହଜାର ଟପିଛି । ଫଳରେ ଦେଶରେ ୩୦ ହଜାର ରହୁଥିବା ଦୈନିକ ସଂକ୍ରମଣ ଏବେ ୪୦ ହଜାର ଅତିକ୍ରମ କରି ସାରିଛି ।

କେରଳରେ ବକ୍ରିଦ ପାଇଁ ହୋଇଥିବା କଟକଣାରେ କୋହଳ ଏବେ ସରକାରଙ୍କ ଉପରେ ଭାରି ସାବ୍ୟସ୍ତ ହୋଇଛି । କାରଣ ଗତ ଏକ ସପ୍ତାହ ଧରି କେରଳରେ ଲଗାତାର ଭାବେ କରୋନା ସଂକ୍ରମଣ ବଢି ଚାଲିଛି । ଗତ ତିନି ଦିନ ହେବ ରାଜ୍ୟରେ ୨୦ ହଜାର ଉପରେ ରହୁଛି ଦୈନିକ ସଂକ୍ରମଣ ସଂଖ୍ୟା । ଦେଶରେ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅଧା ସଂଖ୍ୟକ ଆକ୍ରାନ୍ତ କେବଳ କେରଳରୁ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ କେରଳରେ ୨୨,୬୦୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।

ସେପଟେ ବକ୍ରିଦ ପାଇଁ କଟକଣା କୋହଳ କରିବାକୁ ବାରଣ କରିଥିଲେ ସୁପ୍ରିମକୋର୍ଟ । ସର୍ବୋଚ୍ଚ ନାୟାଳୟଙ୍କ ଚେତାବନୀ ସତ୍ୱେ କେରଳରେ ବକ୍ରିଦ ପାଇଁ କଟକଣା କୋହଳ ହୋଇଥିଲା । ପରେ ୨୪ ଓ ୨୫ ତାରିଖରେ ଇଦ୍ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ କରିଥିଲେ ସରକାର । ହେଲେ ଏତେ ବେଳକୁ ରାଜ୍ୟରେ ସଂକ୍ରମଣ ହାର ବୃଦ୍ଧି ପାଇବା ଆରମ୍ଭ କରି ସାରିଛି । କେରଳରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ବିଶେଷଜ୍ଞମାନେ ଆକଳନ କରୁଛନ୍ତି ଯେ, କେରଳ ପାଇଁ ଦେଶରେ ଆସିବ ତୃତୀୟ ଲହର । କେରଳର କରୋନା ପରିସ୍ଥିତି ନେଇ ୬ ଜଣିଆ କେନ୍ଦ୍ରୀୟ ଟିମ୍କୁ କେରଳ ପଠାଯାଇଛି ।

ସେପଟେ ଦେଶରେ ଗତ ୨୪ ଘଂଟା ଭିତରେ 

– ୪୪,୨୩୦ ଆକ୍ରାନ୍ତ 

– ୫୫୫ ଜଣ ମୃତ

–  ୪୨, ୩୬୦ ସୁସ୍ଥ 

– ମୋଟ ସଂକ୍ରମିତ ୩,୧୫,୭୨,୩୪୪

– ସକ୍ରିୟ ରୋଗୀ ସଂଖ୍ୟା ରହିଛି ୪,୫,୧୫୫

କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଦେଶରେ ଜୋରଦାର ହୋଇଛି ଟିକାକରଣ । ସାରା ଦେଶରେ ଟିକା ନେଲେଣି ୪୫ କୋଟି ୬୦ ଲକ୍ଷ ୩୩ ହଜାର ୭୫୪ ଲୋକ ।