କନକ ବ୍ୟୁରୋ : କେରଳ ହାଇକୋର୍ଟ ଲାକ୍ଷାଦୀପର ଚଳିଚିତ୍ର ପ୍ରଯୋଜିକା ତଥା ଅଭିନେତ୍ରୀ ଆୟଶା ସୁଲତାନାଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିଛନ୍ତି । ଲାକ୍ଷାଦୀପର ବିଜେପି ପ୍ରଦେଶ ଅଧ୍ୟକ୍ଷ ଅବ୍ଦୁଲ ଖାଦରଙ୍କ ଅଭିଯୋଗ ପରେ ସୁଲତାନାଙ୍କ ନାମରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା । କହିରଖୁ କି ଚଳଚିତ୍ର ପ୍ରଯୋଜିକା ଅୟଶା ଲାକ୍ଷାଦୀପର କରୋନା ମ୍ୟାନେଜମେଣ୍ଟ ନେଇ ପ୍ରଫୁଲ ପଟେଲଙ୍କୁ ସମାଲୋଚନା କରିଥିଲେ । ତାଙ୍କ ନାମରେ ହୋଇଥିବା ଅଭିଯୋଗରେ କୁହାଯାଇଥିଲା କି ଆୟଶା ଏକ ମାଲାୟାଲମ ଟିଭି ଡିବେଟରେ କହିଥିଲେ ଯେ ଲାକ୍ଷାଦୀପରେ କୋଭିଡ ସଂକ୍ରମଣକୁ ପ୍ରସାରିତ କରିବାକୁ ଜୈବିକ ଅସ୍ତ୍ର ବ୍ୟବହାର କରାଯାଉଛି । ଏହାକୁ ନେଇ ଅବ୍ଦୁଲ ଖାଦର କୋର୍ଟରେ ସୁଲତାନାଙ୍କ ନାମରେ ଅଭିଯୋଗ କରିଥିଲେ ।

Advertisment

ଏନେଇ ପୂର୍ବ ସପ୍ତାହରେ ପ୍ରଶାସନ କହିଥିଲା କି ସୁଲତାନାଙ୍କ ଜାମିନ ଯାଚିକା ବିଚାର ଯୋଗ୍ୟ ନୁହେଁ । କାରଣ ଜାମିନ ଆବେଦନ ବେଳେ ସେ କୌଣସି ଠୁସ୍ ପ୍ରମାଣ ଦେଇ ନାହାନ୍ତି,  ତେଣୁ ତାଙ୍କୁ ଗିରଫ୍ କରାଯିବ । ପ୍ରଶାସନ କହିଥିଲା କି ଏକ ରାଜନୈତିକ ନେତାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ସୁଲତାନାଙ୍କ ନାମରେ ଆଇପିସିର ଧାରା ୧୨୪-ଏ (ଦେଶଦ୍ରୋହ) ଓ ୧୫୩-ବି (ଅଭଦ୍ର ଭାଷା ପ୍ରୟୋଗ) ଧାରାରେ ଜୁନ ୯ ତାରିଖରେ ମାମଲା ଦାଖଲ ହୋଇଛି ।

ପ୍ରଶାସନ ତରଫରୁ ଆହୁରି କୁହାଯାଇଥିଲା କି ସୁଲତାନା କେନ୍ଦ୍ର ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଯେଉଁ ଅଭିଯୋଗର କୌଣସି ଆଧାର ନାହିଁ । କହିରଖୁ କି ଟିଭି ଡିବେଟ ବେଳେ ସୁଲତାନାଙ୍କ ଏଭଳି ବୟାନକୁ ଟିଭି ଆଙ୍କର ବିରୋଧ କରିଥିଲେ ବି ସୁଲତାନା କହିଥିଲେ ଏହା ସଠିକ୍ ବୟାନ, ଏନେଇ ତାଙ୍କ ବିରୋଧରେ ହେବାକୁ ଥିବା କୌଣସି ବି କାର୍ଯ୍ୟାନୁଷ୍ଟାନକୁ ସାମ୍ନା କରିବାକୁ ସେ ପ୍ରସ୍ତୁତ ।