କନକ ବ୍ୟୁରୋ: କାୟା ବିସ୍ତାର କରୁଛିି କରୋନା । ତାମିଲନାଡୁରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ତାମିଲନାଡୁ ସ୍ୱାସ୍ଥ୍ୟ ସଚିବ ବୀଲା ରାଜେଶ ଏନେଇ ସୂଚନା ଦେଇଛନ୍ତି । ତେବେ କରୋନା ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ ଥିବା ସେ କହିଛନ୍ତି । ଏହାସହ ସଂକ୍ରମିତ ବ୍ୟକ୍ତି ଯେଉଁ ମାନଙ୍କୁ ଭେଟି ଥିଲେ ତାର ତାଲିକା ପ୍ରସ୍ତୁତ କରାଯାଉଥିବା ତାମିଲନାଡୁ ସ୍ୱାସ୍ଥ୍ୟ ସଚିବ ସୁଚନା ଦେଇଛନ୍ତି । ସେପଟେ କେରଳରେ ପୁଣି ୫ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହାସହ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଂଚିଛି । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ଏନେଇ ସୂଚନା ଦେଇଛନ୍ତି ।
ସମସ୍ତ ୫ଜଣଙ୍କୁ କେରଳର ପଥନମଥିଟ୍ଟା ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି । ନିକଟରେ ୩ଜଣ ଇଟାଲୀରୁ ଫେରିଥିଲେ ଏବଂ ସେମାନଙ୍କଠାରୁ ଅନ୍ୟ ଦୁଇ ଜଣଙ୍କୁ ଏହି ଭୂତାଣୁ ବ୍ୟାପିଥିବା କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ପୂର୍ବରୁ କେରଳରେ ୩ଜଣଙ୍କ ନିକଟରେ କରୋନା ଭୂତାଣୁ ମିଳିଥିଲା ତେବେ ସେମାନଙ୍କ ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ପୁଣି ୫ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପୂର୍ବରୁ ଶନିବାର ଦିନ ୩ଜଣ କରୋନା ଭୂତାଣୁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । ଲଦାଖରୁ ୨ ଓ ତାମିଲନାଡୁର ଜଣେଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଆଉ ଏହାରି ଭିତରେ କରୋନାକୁ ନେଇ ସାରା ଭାରତରେ ସତର୍କତା ଆହୁରୀ ବ୍ୟାପକ ହୋଇଛି ।
କେରଳରେ ୩ଜଣ କରୋନା ଭୂତାଣୁ ସଂକ୍ରମିତ ବିନା ଔଷଧରେ ସୁସ୍ଥ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ସମୟରେ କୌଣସି ଔଷଧର ବ୍ୟବହାର କରାଯାଇନାହିଁ । କୌଣସି ଔଷଧ ନଖାଇ ସେମାନେ ଭଲ ହୋଇଥିବା ବିଶେଷଜ୍ଞ କହିଛନ୍ତି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚର ଜଣେ ବୈଜ୍ଞାନିକ ଏହି ସୂଚନା ଦେଇଛନ୍ତି । ଏଚଆଇଭି-ଏଡ୍ସର ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଦୁଇଟି ଔଷଧ ଯାହାକି କରୋନା ଭୂତାଣୁର ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହୋଇପାରିବ, ତାହା ଭାରତରେ ଯଥେଷ୍ଟ ପରିମାଣରେ ଥିବା ସେ କହିଛନ୍ତି । ତେବେ ଚୀନରେ ଏହି ଦୁଇଟି ଔଷଧର ବ୍ୟବହାର କରାଯାଉଥିବା ବେଳେ ଭାରତରେ ଏଯାଏଁ ଏହାର ବ୍ୟବହାର କରାଯାଇନାହିଁ ।