କନକ ବ୍ୟୁରୋ : କେରଳ କଂଗ୍ରେସ ତରଫରୁ ଗୁରୁବାର ଦିନ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କ ଉପରେ କଡା ଟିପ୍ପଣୀ କରିଛି । ଦଳ ତରଫରୁ କୁହାଯାଇଛି କି ରାଜ୍ୟପାଳ ସାମ୍ବିଧାନିକ ପଦର ଅପମାନ କରୁଛନ୍ତି । ଏହାସହ ଦଳ ସନ୍ଦେହ କରିଛି କି କେରଳରେ ବାମପନ୍ଥୀ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଲାଗିରହିଥିବା ବିବାଦ କେବଳ ଦେଖାଇବା ପାଇଁ ହେଉଛି । କେରଳ ଅର୍ଥମନ୍ତ୍ରୀଙ୍କୁ ତାଙ୍କ ପଦରୁ ବାହାର କରିବା ନେଇ ରାଜ୍ୟପାଳଙ୍କ ନିର୍ଦ୍ଦେଶ ଓ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଉତ୍ତର ପରେ କଂଗ୍ରେସ ଏଭଳି ମତ ରଖିଛି ।

Advertisment

ଏଆଇସିସିର ମହାସଚିବ ଜୟରାମ ରମେଶ କହିଛନ୍ତି କି, କେରଳ ରାଜ୍ୟପାଳ ସମସ୍ତ ଦଳକୁ ସମାନ ଭାବେ ଦେଖିବା ଉଚିତ । ସେ ପୂର୍ବରୁ ଅନେକ ରାଜନୈତିକ ଦଳରେ ରହିଥିଲେ ବି ଏବେ ସେ ଜଣେ ରାଜ୍ୟପାଳ । ତାଙ୍କର ଏଭଳି ପଦକ୍ଷେପ ସ୍ପଷ୍ଟ ଭାବେ ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟରେ ଥିବା ରାଜ୍ୟପାଳଙ୍କ ସାମ୍ବିଧାନିକ ପଦକୁ ଅପମାନିତ କରୁଛି । ସୂଚନା ଥାଉକି କେରଳର ଅର୍ଥମନ୍ତ୍ରୀ ବାଳ ଗୋପାଳଙ୍କ ବିରୋଧରେ ଦେଶର ଏକତାକୁ ଦୁର୍ବଳ କରୁଥିବା ଅଭିଯୋଗ ଆଣି ରାଜ୍ୟପାଳ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ସିଧାସଳଖ ଅର୍ଥମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ ।