କେରଳ ସରକାର ରାଜ୍ୟରେ ଘୋଷଣା କଲେ ଲକଡାଉନ୍ । ୱାର୍ଡ କମିଟିକୁ ପ୍ରାଧାନ୍ୟ ଦେବାକୁ ନିର୍ଦ୍ଦେଶ

165

କନକ ବ୍ୟୁରୋ : କେରଳରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । କେରଳ ମୁଖ୍ୟମନ୍ତ୍ରୀଙ୍କ ଅଧିକାରୀଙ୍କ ଟ୍ୱିଟରେ ଏନେଇ ସୂଚନା ଦିଆଯାଇଛି । ସୂଚନା ମୁତାବକ ରାଜ୍ୟରେ ମେ ୮ ତାରିଖରୁ ୧୬ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟରେ ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି ।

କେରଳରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ମେଡିକାଲ ଷ୍ଟୁଡେଣ୍ଟ ମାନଙ୍କ ବି ରାଜ୍ୟ ସରକାର ଚିକିତ୍ସା କ୍ଷେତ୍ରରେ ଲଗାଇ ଦେଇଛନ୍ତି । କେରଳରେ ଗତ ୨୪ ଘଂଟା ମଧ୍ୟରେ ୪୧,୯୫୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମିତ ବୋଲି କୁହାଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଗମ୍ଭୀର ସହକାରେ ବିଚାର କରି ଆଗକୁ ଆହୁରି କଡା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ଏହାସହ ବିଭାଗୀୟ ଅଧିକାରୀ ମାନଙ୍କ ସହ ସ୍ଥିତିର ସମୀକ୍ଷା କରିବା ପରେ ୱାର୍ଡ ସ୍ତରରେ ଗଠିତ ହୋଇଥିବା କୋଭିଡ୍ ପରିଚାଳନା ଟିମ୍ କୁ ଆହୁରି ମଜଭୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି କି ଏବେ ଯେଉଁମାନେ ୱାର୍ଡ କମିଟିରେ ଅଛନ୍ତି ତାଙ୍କ ସହ ବିଧାନସଭା ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେଉଥିବା ସମସ୍ତ ଅଧିକାରୀଙ୍କୁ ଏହି ଟିମ୍ ରେ ସାମିଲ କରାଯିବ ।

ଅନ୍ୟପଟେ ରାଜ୍ୟରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ପିନାରାଇ ବିଜୟନ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି । ସେ ରାଜ୍ୟପାଇଁ ୫୦ ଲକ୍ଷ ଡୋଜ କୋଭିସିଲ୍ଡ ଓ ୨୫ ଲକ୍ଷ ଡୋଜ କୋଭାକ୍ସିନ ଟିକା ମାଗିଛନ୍ତି ।