କରୋନା ପାଇଁ କଠୋର ନିଷ୍ପତି: ବର୍ଷକ ପାଇଁ ବଳବତ୍ତର ରହିବ ତାଲାବନ୍ଦ କଟକଣା, ବିନା ମାସ୍କରେ ଘରୁ ଗୋଡ କାଢିବା ସଂପୂର୍ଣ୍ଣ ମନା; ବାହାରେ ବୁଲିଲେ ୧୦ ହଜାର ଟଙ୍କା ସହ ହୋଇପାରେ ୨ ବର୍ଷ ଜେଲ୍

3,387

କନକ ବ୍ୟୁରୋ: କେରଳ ସରକାରଙ୍କ ବଡ ନିଷ୍ପତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ବର୍ଷକ ପାଇଁ କେରଳରେ ଜାରି ରହିବ ତାଲା ବନ୍ଦ କଟକଣା । ତେବେ କୋଭିଡ୍ ମହାମାରୀ ବିରୋଧରେ ଜାରି ରହିଥିବା ଲଢେଇକୁ ପ୍ରତିହତ କରିବା ପାଇଁ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେରଳ ସରକାର ନେଇଛନ୍ତି ଚରମ ନିଷ୍ପତି । ଆଉ କେରଳ ସରକାରଙ୍କ ନୂଆ ମାର୍ଗଦର୍ଶିକା ଅନୁଯାୟୀ, ଅତି ଜରୁରୀ ନଥିଲେ ଘରୁ ଗୋଡ କାଢିବା ମନା । ବାହାରକୁ ବାହାରିଲେ ମୁଁହରେ ଫେସ୍ ମାସ୍କ ସହ ପକେଟରେ ସାନିଟାଇଜର ଏବଂ ସାମାଜକି ଦୂରତା ପାଳନ କରିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି ସରକାର ।

କରୋନାର ଭୟାବହତାକୁ ନଜରରେ ରଖି ଚଳିତ ମାସରୁ ଆସନ୍ତା ବର୍ଷ ତଥା ୨୦୨୧ ଜୁଲାଇ ମାସ ପର୍ଯ୍ୟନ୍ତ କେରଳରେ ତାଲାବନ୍ଦ କଟକଣା ବଳବତର ରହିବ । ଆଉ ଏହି କଟକଣା କାଳରେ ସମସ୍ତେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା  ନିର୍ଦ୍ଦେଶନାମାକୁ ଅନୁପାଳନ କରିବାକୁ ବାଧ୍ୟତାମୂଳକ ବୋଲି ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି । ତେବେ କେରଳ ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ,

– ଅତି ଜରୁରୀ ନଥିଲେ ଘରୁ ଗୋଡ କାଢିବା ମନା

– ବାହାରକୁ ବାହାରିଲେ ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

– ସର୍ବସାଧାରଣ ସ୍ଥାନମାନଙ୍କରେ ୬ ଫୁଟର ସାମାଜିକ ଦୂରତା ରକ୍ଷା କରିବେ

– ସରକାରଙ୍କ ବିନା ଅନୁମତିରେ ସଭା, ସମିତି ଏବଂ ଶୋଭାଯାତ୍ରା, ଧାରଣାକୁ ନା

– ବିବାହ ଉତ୍ସବରେ ସାମିଲ ହୋଇପାରିବେନି ୫୦ରୁ ଅଧିକ ଲୋକ

– ଅନ୍ତ୍ୟେଷ୍ଟି କ୍ରିୟାରେ ଯାଇପାରିବେନି ୨୦ରୁ ଅଧିକ

– ସାର୍ବଜନୀକ ସ୍ଥାନରେ ଛେପ ପକାଇବା ଉପରେ କଟକଣା

– ଦୋକାନୀମାନେ ଗ୍ରାହକଙ୍କ ପାଇଁ ସାନିଟାଇଜର ରଖିବେ

– କୌଣସି ବି ବ୍ୟବସାୟୀକ ପ୍ରତିଷ୍ଠାନରେ ୨୦ରୁ ଅଧିକ କର୍ମଚାରୀ ରହିପାରିବେ ନାହିଁ

– ରାଜ୍ୟ ବାହାରୁ କିମ୍ବା ରାଜ୍ୟକୁ ଆସୁଥିବା ବ୍ୟକ୍ତିଙ୍କୁ ତଥ୍ୟ ଦେବାକୁ ହେବ

ସେହିଭଳି ଯଦି କୌଣସି ବ୍ୟକ୍ତି ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି କୋଭିଡ କଟକଣାକୁ ଅବମାନନା କରନ୍ତି ତେବେ ତାଙ୍କ ବିରୁଦ୍ଧରେ ମହାମାରୀ ଆକ୍ଟ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ସାଙ୍ଗକୁ ୨ ବର୍ଷ କାଳ ଜେଲଦଣ୍ଡା ଦେଶ ମଧ୍ୟ ହୋଇପାରେ ବୋଲି ନିର୍ଦ୍ଦେଶ ଦେଇଛନ୍ତି କେରଳ ସରକାର ।