ଶାଢୀ ବଦଳରେ ପିପିଇ କିଟ୍, ମେକଅପ ବଦଳରେ ମାସ୍କ… କରୋନା ଆକ୍ରାନ୍ତଙ୍କ କନିଆଁ ସାଜିଲେ ଯୁବତୀ । କୋଭିଡ ହସ୍ପିଟାଲ ସାଜିଲା ନୂଆ ସମ୍ପର୍କର ଅଭୁଲା ମୁକସାକ୍ଷୀ ।

1,048

କନକ ବ୍ୟୁରୋ: ନା ଥିଲା ହୋମନିଆଁ, ନା ଥିଲା ବାହାବେଦୀ । ନଥିଲା ବି ବ୍ରାହ୍ମଣର ମନ୍ତ୍ରପାଠ । ବିନା ବେଦୀରେ ହେଲା ବାହାଘର, ବିନା ହୋମନିଆଁରେ ପଡିଲା ହାତଗଣ୍ଠି । ବର କନିଆଁ ବେକରେ ଫୁଲମାଳ ଦେଇ ଦୁହେଁ ସାଜିଲେ ସାତ ଜନମର ସାଥୀ । ଆଉ କୋଭିଡ ହସ୍ପିଟାଲ ରହିଲା ନୂଆ ସମ୍ପର୍କର ଅଭୁଲା ମୁକସାକ୍ଷୀ । ହଁ କୋଭିଡ ହସ୍ପିଟାଲରେ ଥିଲେ ବର, ପିପିଇ କିଟ୍ ପିନ୍ଧି ଆସିଲେ କନିଆଁ । ଆଉ ମାଆଙ୍କ ଆଶିର୍ବାଦ ନେଇ ଉଭୟଙ୍କର ହେଲା ବାହାଘର । କରୋନା କାଳରେ ଏମିତି ଏକ ବାହାଘର ଏବେ ଚର୍ଚ୍ଚା ରହିଛି ।

ତେବେ କରୋନାରେ ଆକ୍ରାନ୍ତ ହୋଇ କେରଳ ଆଲ୍ଲାପୂଜା କୋଭିଡ ହସ୍ପିଟାଲରେ ଚିକିତ୍ସ ହେଉଥିଲେ ବର । ଆଉ କନିଆଁ ମୁହଁରେ ମାସ୍କ, ହାତରେ ଗ୍ଲୋଭ୍ସ ପିନ୍ଧି ପିପିଇ କିଟ୍ ସହ କୋଭିଡ ୱାର୍ଡକୁ ପ୍ରବେଶ କରିଥିଲେ । ଯାହା ପରେ ଆକ୍ରାନ୍ତ ବର ଶରତ ଓ କନିଆଁ ଅଭିରାମୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବରର ମାଆ ମଧ୍ୟ କରୋନା ସଂକ୍ରମିତ ହୋଇଥିବାରୁ ସେ ସେହି ହସ୍ପିଟାଲରେ ଥିଲେ । ମାଆ ପୁଅ ଗୋଟିଏ ହସ୍ପିଟାଲରେ ଥିବାରୁ ବାହାଘର ସେଇଠି ହେବାକୁ ସ୍ଥିତି ହୋଇଥିଲା । ଆଉ ମାଆଙ୍କ ଉପସ୍ଥିତିରେ ମହାମାରୀ ଭିତରେ ଅଭିରାମୀଙ୍କୁ ନିଜର କରିଥିଲେ ଶରତ ।

ବର ଜଣକ ବିଦେଶରେ ରହି ଚାକିରି କରନ୍ତି । ବିଦେଶରୁ ଫେରି କରୋନା ଟେଷ୍ଟ୍‌ କରିବା ପରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଗୋଟିଏ ପଟେ ବାହାଘର ପାଇଁ ହାତରେ ଖୁବ କମ ସମୟ ଥିବାରୁ ପ୍ରସ୍ତୁତି ଜୋରଦାର ଚାଲିଥିଲା, ଆଉ ଏତିକି ବେଳେ ହିଁ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପରେ ତାଙ୍କ ମାଆ କରୋନା ସଂକ୍ରମିତ ହୋଇଥିଲେ । ଉଭୟ ମାଆ ଓ ପୁଅଙ୍କୁ କେରଳର ଆଲାପୁଜା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ସେପଟେ ପୂର୍ବରୁ ଏପ୍ରିଲ୍‌ ୨୫ ତାରିଖରେ ଶରତ ଓ ଅଭିରାମୀଙ୍କର ବିବାହ ସ୍ଥିର ହୋଇସାରିଥିବାରୁ ଉଭୟ ପକ୍ଷର ପରିବାର ଲୋକେ ସେହି ଦିନରେ ବିବାହ କରିବାର ନିଷ୍ପତ୍ତି ‌ନେଇଥିଲେ। ଆଉ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ଠାରୁ ଅନୁମତି ନେଇ କୋଭିଡ ୱାର୍ଡ ଭିତରେ ବାହା ହୋଇଥିଲେ । ସମ୍ପର୍କୀୟମାନେ ପିପିଇ କିଟ୍‌ ପିନ୍ଧି କୋଭିଡ୍‌ ୱାର୍ଡ ଭିତରେ ନବ ଦମ୍ପତ୍ତିଙ୍କୁ ନୂଆ ସମ୍ପର୍କ ପାଇଁ ଆଶିର୍ବାଦ କରିଥିଲେ ।