ପଶ୍ଚିମବଙ୍ଗ ଦଖଲ ପାଇଁ ରଣନୀତିକୁ ଜୋରଦାର କରିବ ବିଜେପି : ନଦିଆର ନବଦ୍ୱୀପରୁ ପ୍ରଥମ ରଥଯାତ୍ରାର ଶୁଭାରମ୍ଭ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

55

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଦଖଲ ପାଇଁ ରଣନୀତିକୁ ଜୋରଦାର କରିବ ବିଜେପି । ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ତୃଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସେତିକି ତୀବ୍ର ହେବାରେ ଲାଗିଛି । ପଶ୍ଚିମବଙ୍ଗବାସୀଙ୍କ ମନ ଜିତିବାକୁ ଆଜିଠାରୁ ରାଜ୍ୟବ୍ୟାପୀ ୫ଟି ପରିବର୍ତ୍ତନ ରଥଯାତ୍ରା କରିବ ବିଜେପି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନଦିଆର ନବଦ୍ୱୀପ ଅଂଚଳରୁ ପ୍ରଥମ ରଥଯାତ୍ରାର ଶୁଭାରମ୍ଭ କରିବେ ।

ହେଲେ ଏହି ପରିବର୍ତ୍ତନ ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଅନୁମତି ଦିଆଯାଇ ନଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି ରାଜ୍ୟ ବିଜେପି । ଫେବ୍ରୁଆରୀ ୧୧ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉତର ପଶ୍ଚିମବଙ୍ଗର କୁଚ୍ବେହାର ଅଂଚଳରୁ ଆଉ ଏକ ରଥଯାତ୍ରାର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି । ଝାଡଗ୍ରାମ, କାକଦ୍ୱୀପ ଓ ତାରାପୀଠ ଅଂଚଳରୁ ଆଉ ୩ଟି ରଥଯାତ୍ରା ବାହାର କରିବ ବିଜେପି । ଆଗାମୀ ୨୫ ଦିନଧରି ରାଜ୍ୟର ସମସ୍ତ ୨୯୪ ବିଧାନସଭା କ୍ଷେତ୍ରରେ ବୁଲିବାକୁ ଥିବା ବିଜେପି ରଥଯାତ୍ରାର ଶେଷ ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହେବା କାର୍ଯ୍ୟକ୍ରମ ରହିଛି ।