କନକ ବ୍ୟୁରୋ : କେରଳ ମୁଖ୍ୟମନ୍ତ୍ରୀ ପୀନାରାଇ ବିଜୟନ ମଙ୍ଗଳବାର ଦିନ କେରଳ ବିଧାନସଭାରେ କେନ୍ଦ୍ର ସରକାରଙ୍କ ସମାନ ନାଗରିକ ସଂହିତା ଲାଗୁ କରିବା ଯୋଜନା ବିରୋଧରେ ପ୍ରସ୍ତାବ ଆଣିଥିଲେ । ଏହି ପ୍ରସ୍ତାବ କେରଳ ବିଧାନସଭାରେ ସର୍ବସମ୍ମତିକ୍ରମେ ପାରିତ ହୋଇଛି ।
କେରଳରେ କଂଗ୍ରେସ ନେତୃତ୍ୱରେ ଥିବା ବିରୋଧୀମେଣ୍ଟ ୟୁଡିଏଫ ରାଜ୍ୟସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ଏହାସହ ବିରୋଧୀମେଣ୍ଟ ମୁଖ୍ୟମନ୍ତ୍ରୀ ପୀନାରାଇ ବିଜୟନଙ୍କ ଦ୍ୱାରା ୟୁସିସି ବିରୋଧରେ ପ୍ରସ୍ତାବ ଉପସ୍ଥାପନ ହେବା ପରେ ଏହା ଉପରେ କିଛି ପରିବର୍ତନ କରିବାକୁ ପରାମର୍ଶ ଦେଇଛନ୍ତି ।
ପ୍ରସ୍ତାବ ଉପସ୍ଥାପନ କରିବା ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ କି କେରଳରେ ସମାନ ନାଗରିକ ସଂହିତା ଲାଗୁ କରିବା ନେଇ କେନ୍ଦ୍ର ସରକାର ଆଣିଥିବା ଯୋଜନା ରାଜ୍ୟବାସୀଙ୍କ ପାଇଁ ଚିନ୍ତାଜନକ ଓ ଗଣତନ୍ତ୍ର ପାଇଁ ନିରାଶା । ଏହାସହ କେନ୍ଦ୍ରସରକାର ତରତର ହୋଇ ଏକତରଫା ଭାବେ ଏହି ପଦକ୍ଷେପ ନେଇଥିବା କଥା ବିଜୟନ କହିଛନ୍ତି ।
ବିଜୟନ ଆହୁରି କହିଛନ୍ତି କି ସଂଘ ପରିବାର ଯେଉଁ ସମାନ ନାଗରିକ ସଂହିତାର କଳ୍ପନା କରୁଛି ତାହା ସମ୍ବିଧାନର ଅନୁରୂପ ନୁହେଁ ବରଂ ତାହା ହିନ୍ଦୁଶାସ୍ତ୍ର ମନୁସ୍ମୃତି ଉପରେ ଆଧାରିତ । ସମ୍ବିଧାନର ଅନୁଚ୍ଛେଦ ୨୫ ମୁତାବକ ଯେତେବେଳେ ଭାରତବାସୀଙ୍କ ଧାର୍ମିକ ସ୍ୱତନ୍ତ୍ରତା ଗ୍ୟାରେଣ୍ଟି ମିଳିଛି ତେଣୁ ଏହା ଉପରେ ରୋକ୍ ଲଗାଇବା ଭଳି କୌଣସି ନିୟମ ସାମ୍ବିଧାନିକ ଅଧିକାରକୁ ଉଲଙ୍ଘନ କରିବ ।
ଗୋଟିଏ ପଟେ ସମାନ ନାଗରିକ ସଂହିତାକୁ ନେଇ ଆଇନ କମିଶନ ଦେଶର ଲୋକଙ୍କ ଠାରୁ ମତ ଲୋଡୁଥିବା ବେଳେ କେରଳରେ ଉଭୟ ବିରୋଧୀ ଓ ଶାସକଦଳ ଏହା ବିରୋଧରେ ଏକମତ ହୋଇ ବିଧାନସଭାରେ ପ୍ରସ୍ତାବ ପାରିତ କରିଛନ୍ତି ।