ଇଚ୍ଛାଶକ୍ତି ଆଗରେ ଫିକା ପଡିଲା ବୟସ : ୧୦୫ ବର୍ଷରେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଇ ଚର୍ଚ୍ଚା ସାଉଁଟିଲେ କେରଳର ଭାଗିରଥି ଆମ୍ମା

103

ପାଠ ପଢିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ ସୀମା ନଥାଏ । ଯଦି ମନରେ ଦୃଢ ଇଚ୍ଛାଶକ୍ତି ଥାଏ ତାହାଲେ ଯେକୌଣସି ବୟସରେ ବି ଜଣେ ନିଜ ଶିକ୍ଷାକୁ ପୂରଣ କରିପାରିବ । ଏଭଳି କରି ସାରା ଦେଶ ପାଇଁ ପ୍ରେରଣା ପାଲଟିଛନ୍ତି କେରଳର ଭାଗିରଥି ଆମ୍ମା । ପାଠପଢା ପ୍ରତି ଥିବା ନିଜ ଇଚ୍ଛାକୁ ସେ ୧୦୫ ବର୍ଷ ବୟସରେ ପୂରା କରିପାରିଛନ୍ତି । ଗତ ନଭେମ୍ବର ମାସରେ ହିଁ ଆମ୍ମା ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଇଥିଲେ । ଏଥି ସହିତ ସେ ପୃଥିବୀର ସବୁଠୁ ବୟସ୍କ ଛାତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ । ନିକଟରେ ଏହାର ପରୀକ୍ଷାଫଳ ପ୍ରକାଶ ପାଇଥିବା ବେଳେ ଆମ୍ମା ସେଥିରେ ସମୁଦାୟ ୭୪ ପ୍ରତିଶତ ନମ୍ବର ରଖିଥିବା ଜଣାପଡ଼ିଛି । କେରଳ ରାଜ୍ୟ ଅନ୍ତର୍ଗତ ସାକ୍ଷରତା ମିଶନର ଚତୁର୍ଥ ଶ୍ରେଣୀ ସମକକ୍ଷ ପରୀକ୍ଷାରେ ସମୁଦାୟ ୨୭୫ ନମ୍ବରରୁ ୨୦୫ ନମ୍ବର ରଖିଛନ୍ତି ଆମ୍ମା ।

 

ପରୀକ୍ଷାରେ ତାଙ୍କ ବିଷୟ ଥିଲା ମାଲାୟାଲମ, ଇଂରାଜୀ ଓ ଗଣିତ । ଗଣିତରେ ୭୫ ରୁ ୭୫ ନମ୍ବର , ଇଂରାଜୀରେ ୫୦ ରୁ ୩୦ , ନିଜ ମାତୃଭାଷା ମାଲାୟାଲମରେ ୫୦ ରୁ ୫୦ ନମ୍ବର ରଖି ସଫଳ ହୋଇଛନ୍ତି ଆମ୍ମା । ସବୁଠାରୁ ବଡ଼ କଥା ହେଉଛି ଆମ୍ମା ୧୦ ମ ପରୀକ୍ଷା ଦେବାକୁ ବି ଇଚ୍ଛା ରଖିଛନ୍ତି । ଛୋଟ ବେଳରୁ ହିଁ ଆମ୍ମାଙ୍କର ପାଠପଢ଼ା ପ୍ରତି ବିଶେଷ ଆଗ୍ରହ ଥିଲା । କିନ୍ତୁ ମାଙ୍କ ମୃତ୍ୟୁ ପରେ ଘର ଜଞ୍ଜାଳ ସମ୍ଭାଳି ଆମ୍ମାଙ୍କୁ ନିଜର ଇଚ୍ଛାକୁ ତ୍ୟାଗ କରିବାକୁ ପଡିଥିଲା । ୯ ବର୍ଷ ବୟସ ହୋଇଥିବା ବେଳେ ୩ ୟ ଶ୍ରେଣୀ ଯାଏଁ ସେ ପଢି ପାରିଥିଲେ । ଖାଲି ସେତିକି ନୁହେଁ ତାଙ୍କୁ ମାତ୍ର ୩୦ ବର୍ଷ ହୋଇଥିବା ବେଳେ ସ୍ୱାମୀଙ୍କୁ ହରାଇଥିଲେ ଆମ୍ମା । ନିଜେ ହିଁ ଅକ୍ଲାନ୍ତ ପରିଶ୍ରମ କରି ନିଜ ୬ ପିଲାଙ୍କ ଦାୟିତ୍ୱ ଭାର ମୁଣ୍ଡ ଉପରକୁ ନେଇଥିଲେ । ଆମ୍ମାଙ୍କ ପୁଅଝିଅଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ନାତିନାତୁଣୀ ବି ଆରପାରିକୁ ଚାଲିଗଲେଣି ।