କନକ ବ୍ୟୁରୋ: ସେପଟେ ଅଙ୍ଗଦାନ କରି ଅମର ହୋଇଗଲେ ନବରଙ୍ଗପୁରର ଉଷାରାଣୀ । ସଡ଼କ ଦୁର୍ଘଟଣାରେ ଉଷାରାଣୀଙ୍କ ଜୀବନ ଯାଇଛି । ହେଲେ ଅନ୍ତିମ ସଂସ୍କାର ପୂର୍ବରୁ ଅଙ୍ଗଦାନ କରି ସେ ଅମର ହୋଇଯାଇଛନ୍ତି । ତାଙ୍କ ଦାନ ଚକ୍ଷୁରେ ଅନ୍ୟ ଜଣେ ଦୁନିଆ ଦେଖିବା ସହ ଲିଭର, ବୃକକ ପ୍ରତିରୋପଣରେ ନୂଆ ଜୀବନ ପାଇବେ ରୋଗୀ ।

ଊଷାରାଣୀ ପାରଳାଖେମୁଣ୍ଡି ନିକଟ ପୋଡାଲଗୁଡ଼ା ଗାଁରେ ବିବାହ କରିଥିଲେ । ତାଙ୍କର ୨ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ଗତ ୧୯ ତାରିଖରେ ଦିଅରଙ୍କ ନିର୍ବନ୍ଧଙ୍କୁ ଯାଇ ସେ ଘରକୁ ଫେରୁଥିଲେ । ଶ୍ରୀକାକୁଲମ୍ ଜିଲ୍ଲା ହୀରାମଣ୍ଡଳମ୍ ନିକଟରେ ସଡ଼କ ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ୩ ଦିନ ଭେଂଟିଲେଟରରେ ରହିବା ପରେ ଗତ ୨୧ ତାରିଖ ମଧ୍ୟ ରାତିରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ଏହା ପରେ ଉଷାରାଣୀଙ୍କ ପରିବାର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ।