କନକ ବ୍ୟୁରୋ : ସାମାଜିକ ବାସନ୍ଦ କାରଣରୁ ଉଠିପାରିଲାନି ମୃତଦେହ । ମଧ୍ୟାହ୍ନ ୧୨ଟାରୁ ମୃତ୍ୟୁ ହୋଇଥିଲେ ବି ରାତି ୮ଟା ଯାଏଁ ଉଠିପାରିଲାନି ଶବ । କେନ୍ଦୁଝର ଧୋବାଡିହା ଗାଁରେ ଏଭଳି ଘଟଣା ଘଟିଛି । ଖବର ଅନୁସାରେ, କେନ୍ଦୁଝର ସହରର ଧୋବାଡିହା ଗାଁରେ ମଧୁସୁଦନ ମୁର୍ମୁ ରହନ୍ତି । ତେବେ ଜମିଜମା ବିବାଦ ପାଇଁ ୨୦୧୩ ମସିହାରୁ ତାଙ୍କୁ ଗାଁ ଲୋକେ ବାସନ୍ଦ କରିଥିଲେ ।
ଏହି କାରଣ ପାଇଁ ପୂର୍ବରୁ କୌଣସି ପୂଜାପର୍ବରେ ବି ତାଙ୍କ ଘରକୁ କେହି ଆସନ୍ତି ନାହିଁ କି କେହି ଡାକନ୍ତି ନାହିଁ । ତେବେ ବୃଦ୍ଧାବସ୍ଥା କାରଣରୁ ଯୁଦମଣିଙ୍କ ୧୨ଟାରେ ମୃତ୍ୟୁ ହୋଇଯାଇଥିଲା । ଯଦୁମଣିଙ୍କ ପରଲୋକ ଘଟିଥିଲେ ହେଁ ରାତି ୮ଟା ଯାଏ ତାଙ୍କ ଶବ ଉଠାଇ ଦେଇ ନଥିଲେ ଗ୍ରାମବାସୀ । ମୃତ ଦେହକୁ ଉଠାଇବାକୁ ହେଲେ ଗ୍ରାମାବସୀଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି ଦାବି କରିଥିଲେ । ଟଙ୍କା ଦେଲେ ଯାଇ ଶବ ଉଠାଇବାକୁ ସୁଯୋଗ ଦିଆଯିବ ବୋଲି ଗ୍ରାମବାସୀ ଅଡ଼ି ବସିଥିଲେ । ଏଭଳି ସ୍ଥିତିରେ ପରିବାର ଲୋକେ ଅଡୁଆରେ ପଡିଯାଇଥିଲେ। କ’ଣ କରିବେ କିଛି ବୁଦ୍ଧି ବାଟ ଦିଶି ନଥିଲା ।
ସେପଟେ କୌଣସି ସୂତ୍ରରୁ ଖବର ପାଇବା ପରେ କେନ୍ଦୁଝର ଟାଉନ ଥାନା ପୁଲିସ ଏବଂ ମାଜିଷ୍ଟ୍ରେଟ୍ ପହଞ୍ଚି ଘଟଣା ସମ୍ପର୍କରେ ଛାନଭିନ୍ କରିଥିଲେ । ମାଜିଷ୍ଟ୍ରେଟ୍ ଓ ପୁଲିସ ଉପସ୍ଥିତିରେ ମହାପ୍ରୟାଣ ଗାଡ଼ିରେ ଯଦୁମଣିଙ୍କ ମୃତ ଦେହକୁ ଶେଷକୃତ୍ୟ ପାଇଁ ଗାଁରୁ ନିଆଯାଇଥିଲା । ପରିବାର ଲୋକେ ମୃତଦେହକୁ ନେଇ ନିଜ ଜମିରେ ଦାହସଂସ୍କାର କାର୍ଯ୍ୟ କରିଥିବା ଜଣାଯାଇଛି ।