ଛାମୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା : ଋଣଭାର ସହି ନପାରି ଜୀବନ ହାରିଲେ ଟ୍ରକ ମାଲିକ

355

କନକ ବ୍ୟୁରୋ : ସହି ପାରିଲେ ନାହିଁ ଋଣ ଭାର । ଶେଷରେ ଆତ୍ମହତ୍ୟା କଲେ ଟ୍ରକ ମାଲିକ । ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଛାମୁଣ୍ଡା ଗ୍ରାମରେ । ସୂଚନାନୁସାରେ, ଛାମୁଣ୍ଡା ଗ୍ରାମର ସ୍ୱର୍ଗତ ଦୁଃଖିଶ୍ୟାମ ମହାକୁଡ଼ଙ୍କ ପୁଅ ମକୁନ୍ଦ ମହାକୁଡ଼ ରୋଜଗାର ପାଇଁ ସେ ଏକ ୧୨ଚକିଆ ଟ୍ରକ କିଣି ଚଳାଉଥିଲେ । ସବୁ ଠିକ ଠାକ ଥିଲା, କିନ୍ତୁ କିଛି ମାସ ହେଲାଣି ମାଇନ୍ସ ଚାଲୁ ନଥିବାରୁ ଟ୍ରକ ଚାଲି ପାରୁନଥିଲା । ଫଳରେ ଟ୍ରକରୁ କୌଣସି ରୋଜଗାର ହୋଇପାରୁନଥିଲା ଫଳରେ ମୁକୁନ୍ଦ ଚାପରେ ଥିଲେ ।

ଅନ୍ୟପଟେ ଯେଉଁ ସଂସ୍ଥାରୁ ଋଣ ଆଣି ଟ୍ରକ କିଣି ଥିଲେ ସେ ସଂସ୍ଥା ବାରମ୍ବାର କିସ୍ତି ପାଇଁ ତାଗିଦ କରୁଥିଲା । ଏପରିକି ତାଙ୍କର ଜାଗା ବାଡ଼ି ବିକ୍ରି କରି କିଛି ଋଣ ସୁଝିଥିଲେ, ଏବେ ଋଣ ସଂସ୍ଥା ପୁଣି ତାଗିଦ କରୁଥିଲା । ଅନ୍ୟ ଉପାୟ ନପାଇ ନିଜ ଘର ଆଗରେ ଥିବା ବିଦ୍ୟୁତ ଖୁଣ୍ଟ ତାରରେ ମୁକୁନ୍ଦ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆଜି ସକାଳୁ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି । ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।