ଜଞ୍ଜିରରେ ଜୀବନ ଜିଉଁଛି ୧୪ ବର୍ଷର ଜୀବନ । ମାନସିକ ବିକାରଗ୍ରସ୍ତ ପୁଅର ଚିକିତ୍ସା ବାଟରେ ଅର୍ଥ ସାଜିଛି କଣ୍ଟା, ସରକାରଙ୍କୁ ଅସହାୟ ବାପା-ମା’ଙ୍କ ଆତୁର ନିବେଦନ ।

334

କନକ ବ୍ୟୁରୋ: ଦାରିଦ୍ର୍ୟ ଓ ଅଭାବ ଆଗରେ ହାର ମାନିଛନ୍ତି ବାପା ମା’ । ପୁଅର ଚିକିତ୍ସା ପାଇଁ ଅସମର୍ଥ ହେବା ପରେ ପୁଅ ହାତ ଗୋଡ଼ରେ ପକାଇଛନ୍ତି ବେଡ଼ି । ପୁଅର ଚିକିତ୍ସା ପାଇଁ ସବୁ ବିକିଭାଙ୍ଗି ଖର୍ଚ୍ଚ କରିସାରିଥିଲେ ବି ଆସିନି ସ୍ୱାସ୍ଥ୍ୟବସ୍ଥାରେ ପରିବର୍ତନ । ଦୀର୍ଘ ୧୪ ବର୍ଷ ହେଲାଣି ବନ୍ଦ କୋଠରିରେ ଶିକୁଳିରେ ହାତ ଗୋଡ଼ ବନ୍ଧା କଟୁଛି ଜୀବନ ।

ପୁଅର ହାତ ଓ ଗୋଡ଼ରେ ଲୁହାର ବେଡ଼ି । ବେଡ଼ି ପକାଇଛନ୍ତି ଜନ୍ମକଲା ଅସହାୟ ବାପା ମା’ । ଦୁଃଖର ଦରିଆ ଭିତରେ ରୋଗୀଣା ପୁଅର ଯନ୍ତ୍ରଣାକୁ ସାମ୍ନା କରି ଥକି ପଡ଼ିଥିବା ବାପା ମା’ଙ୍କ ପାଖରେ ନାହିଁ ଅନ୍ୟ କୌଣସି ଉପାୟ । ଦୀର୍ଘ ୧୪ ବର୍ଷ ହେଲାଣି ମାନସିକ ବିକାରଗ୍ରସ୍ତ ପୁଅର ହାତ ଓ ଗୋଡ଼ରେ ବେଡ଼ି ପକାଇଛନ୍ତି କେନ୍ଦୁଝର ହାଟଡ଼ିହି ବ୍ଲକ ଅରତିରା ଗାଁର ଇନ୍ଦ୍ରମଣି ପରିଡ଼ା । ପିଲାବେଳେ ପୁଅ ସନ୍ତୋଷର ଦେହ ଖରାପ ହେବା ଯୋଗୁଁ ଧିରେ ଧିରେ ତା’ର ମାନସିକ ବିକୃତ ଦେଖାଦେଲା । ପୁଅର ଚିକିତ୍ସା ପାଇଁ ଜମି ବାଡ଼ି ସବୁ ବିକ୍ରି କରି ସାରିଛନ୍ତି ଇନ୍ଦ୍ରମଣୀ । ହେଲେ ପୁଅର ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନାହିଁ ।

ସନ୍ତୋଷଙ୍କ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ହେଲେ ଗରିବ ବାପା ଇନ୍ଦ୍ରମଣିଙ୍କ ପାଖରେ ଆର୍ଥିକ ଶକ୍ତି ନାହିଁ । ଅର୍ଥାଭାବ ଯୋଗୁଁ ପୁଅର ଚିକିତ୍ସା କରାଇପାରୁନଥିବା ବାପା ଶେଷରେ ନିଜ ଅସହାୟତା ଆଗରେ ହାରମାନି ପୁଅକୁ ବେଡି ପକାଇ ଘରେ ରଖିଛନ୍ତି । ଏପରି ସ୍ଥିତିରେ ପ୍ରଶାସନ ପକ୍ଷରୁ ସହାୟତା ମିଳିଲେ ସନ୍ତୋଷ ସୁସ୍ଥ ହୋଇ ପାରନ୍ତେ ବୋଲି ପୁଅର ଚିକିତ୍ସା ପ୍ରତି ଦୃଷ୍ଟି ଦିଅନ୍ତେ ତେବେ ସନ୍ତୋଷ ଭଲ ହୋଇପାରନ୍ତେ ବୋଲି ଆଶା ବାନ୍ଧିଛନ୍ତି ଅସହାୟ ବାପା ମା’ ।