କନକ ବ୍ୟୁରୋ : ଏକ ଦୁର୍ଘଟଣାଗ୍ରସ୍ତ ବାଇକକୁ ଛାଡ଼ିବା ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ସଦର ଥାନା ଏଏସଆଇ ଗୌତମ ଚନ୍ଦ୍ର ଦାସ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ ୨୦୧୭ ଡିସେମ୍ବର ୩୧ ତାରିଖରେ ସଦର ଥାନା ପର୍ଜନପୁରର ଦେଉଳଡିହା ଗ୍ରାମର ହୃଦାନନ୍ଦ ମହାନ୍ତ ପଦ୍ମପୁର ବଜାର ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୀର୍ଘ ଦିନ ମେଡ଼ିକାଲରେ ରହିବା ପରେ ଗତ ୮ ତାରିଖରେ ସେ ତାଙ୍କ ବାଇକକୁ ଆଣିବା ପାଇଁ ସଦର ଥାନାକୁ ଯାଇଥିଲେ। ଏହି କେସର ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ଗୌତମ ଚନ୍ଦ୍ର ଦାସ ତାଙ୍କୁ ୨ ହଜାର ଟଙ୍କା ଦେଲେ ବାଇକ ନେବ ବୋଲି କହିଥିଲେ ବୋଲି ଅଭିଯୋଗ ହୋଇଛି।
ଏ ନେଇ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଆଜି ପୂର୍ବାହ୍ଣରେ ଶ୍ରୀ ମହାନ୍ତ ତାଙ୍କ ବାଇକ ଆଣିବା ପାଇଁ ସଦର ଥାନାକୁ ଯାଇଥିଲେ। ମାତ୍ର ଏଏସ୍ଆଇ ଦାସଙ୍କର ଆଜି ଟାଉନ ଥାନାରେ ଡ୍ୟୁଟି ଥିବାରୁ ସେ ଟାଉନ ଥାନା ନିକଟକୁ ଡାକିଥିଲେ। ହୃଦାନନ୍ଦଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲେ। ଏ ସଂକ୍ରାନ୍ତରେ ଭିଜିଲାନ୍ସ ଏକ ମାମଲା ରୁଜୁ କରି ଏଏସ୍ଆଇଙ୍କୁ ଗିରଫ କରିଛି।
Follow Us