କେନ୍ଦୁଝର ଖଣିରେ ଶ୍ରମିକଙ୍କୁ ବୁଝାଇବା ପାଇଁ ପହଞ୍ଚିଲେ ପଦ୍ମଶ୍ରୀ ଦୈତାରୀ ନାୟକ । ଲୋଡିଂ ଏଜେନ୍ସିର ପକ୍ଷ ନେଇ ଶ୍ରମିକଙ୍କୁ ବୁଝାଇଲେ । ସ୍ଥାନୀୟ ଲୋକେ କହିଲେ, ସରଳ ଦୈତାରୀଙ୍କୁ ବ୍ୟବହାର କରୁଛି ଲୋଡିଂ ଏଜେନ୍ସି ।

390

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଶୁଆକାଟୀ ଗନ୍ଧମାର୍ଦ୍ଦନ ଓଏମସି ଖଣିରେ ଏକ ମାସ ହେବ ଶ୍ରମିକ ଆନ୍ଦୋଳନ ଚାଲିଛି । ଏହି ଆନ୍ଦୋଳନକୁ ନେଇ ନିଜ ରାଜନୈତିକ ପତିଆରା ବଢାଇବା ପାଇଁ ବିଜେଡିର ବରିଷ୍ଠ ନେତା ବଦ୍ରି ପାତ୍ର ଓ ବିଜେପିର ମୋହନ ମାଝିଙ୍କ ମଧ୍ୟରେ ବିବାଦ ବି ବେଶ ଚର୍ଚ୍ଚାରେ ରହିଛି । ଅନ୍ୟପଟେ ଶ୍ରମିକ ଆନ୍ଦୋଳନର ସମାଧାନ ପାଇଁ ପଦ୍ମଶ୍ରୀ ଦୈତାରୀ ନାୟକଙ୍କୁ ମଧ୍ୟସ୍ଥି କରିଛନ୍ତି ଲୋଡିଂ ଏଜେନ୍ସି ।

ସିନେ ପରଦାର ଦଶରଥ ମାଝିଙ୍କ ଭଳି କେନ୍ଦୁଝରର ଏହି କାହାଣୀ ସେତେବେଳେ ଓଡିଶାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ପାଣି ପାଇଁ ପାହାଡ ଖୋଳି ଝରଣାର ସ୍ରୋତ ବଦଳାଇ ଦେଇଥିଲେ ଦୈତାରୀ ନାୟକ । ଆଉ ସେଥିପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା ।

ସମସ୍ୟା ସମାଧାନ ପାଇଁ ଦୈତାରୀଙ୍କୁ ପଡୁଛି ଡାକରା । ଖଣିରେ ଶ୍ରମିକ ଆନ୍ଦୋଳନ ବନ୍ଦ ପାଇଁ ଦୈତାରୀ ସାହାରା । କେନ୍ଦୁଝର ବାଂଶପାଳ ବ୍ଲକର ଗନ୍ଧମାର୍ଦ୍ଦନ ଲୌହ ଖଣିରେ ଆନ୍ଦୋଳନ ବନ୍ଦ କରିବା ପାଇଁ, ଟ୍ରକରେ ଖଣିଜ ପଦାର୍ଥ ଉଠାଉଥିବା ଲୋଡିଂ ଏଜେନ୍ସି ଗୁଡିକ ଏବେ ଦୈତାରୀ ନାୟକଙ୍କୁ ମଧ୍ୟସ୍ଥ କରିଛନ୍ତି । ଯେହେତୁ ସ୍ଥାନୀୟ ଅଂଚଳରେ ଦୈତାରୀଙ୍କ ସମ୍ମାନ ରହିଛି, ସେଥିପାଇଁ ତାଙ୍କ ଜରିଆରେ କାମ କରିବା ପାଇଁ ଚେଷ୍ଟା କରୁଛନ୍ତି ଲୋଡିଂ ଏଜେନ୍ସି ମାନେ ।

କେନ୍ଦୁଝର ବାଂଶପାଳ ବ୍ଲକ ଶୁଆକାଟୀସ୍ଥିତ ଗନ୍ଧମାର୍ଦ୍ଦନ ଲୌହ ଖଣିରେ ଶ୍ରମିକ ଅଶାନ୍ତି ନେଇ କେନ୍ଦୁଝରର ୨ ହେଭିୱେଟ ନେତା ବଦ୍ରୀ ପାତ୍ର ଏବଂ ମୋହନ ମାଝୀଙ୍କ ମଧ୍ୟରେ ବିବାଦ ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଗୋଟିଏ ପଟେ ଅଛନ୍ତି, ଆନ୍ଦୋଳନକାରୀ ଅନ୍ୟପଟେ ଅଛନ୍ତି ଲୋଡିଂ ଏଜେନ୍ସି । ଆଉ ତା ମଝିରେ ଏବେ ପଶିଛନ୍ତି ସରଳ ଓ ନୀରିହ, ଦୈତାରୀ ନାୟକ । ଗନ୍ଧମାର୍ଦ୍ଦନ ଓଏମସି ଖଣିରେ ଦୀର୍ଘ ୧ ମାସ ହେବ ଶ୍ରମିକ ଆନ୍ଦୋଳନ ଜାରି ରହିଛି । ସେପଟେ ଦୈତାରୀ ଏହି ମାମଲାରେ ପଶିବା ପରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ମଧ୍ୟ ଲେଖିଛନ୍ତି ।