ଘରେ ବସିଛି ପଢୁଆ ପୁଅ । ଗୋଡରେ ମାଂସ ପିଣ୍ଡୁଳା ବଢିବା ସହ ୬ ବର୍ଷ ହେଲା ଘା’ବି ହୋଇଗଲାଣି, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ…କେମିତି ଭଲ ହେବ ପୁଅ ଚିନ୍ତାରେ ଭାଙ୍ଗିପଡିଲାଣି ପରିବାର

328

କନକ ବ୍ୟୁରୋ : ଘରେ ବସି ରହିଛି ପାଠ ପଢୁଆ ପୁଅ । ପାଠ ପଢାରେ ବାଧକ ସାଜିଛି ରୋଗ । ଘରର ଗୋଟିଏ ସ୍ଥାନରେ ବସି ରହିଛି ପାଠ ପଢୁଆ ପୁଅ । ରୋଗ ପାଇଁ ଚଲାବୁଲା ବି କରିପାରୁନାହିଁ । ପରିବାରର ଆର୍ଥିକ ଅବସ୍ଥା ଏତେଟା ସ୍ୱଚ୍ଛଳ ନଥିବା କାରଣରୁ ପୁଅର ଚିକିତ୍ସା ବି କରିପାରୁନାହାନ୍ତି ବାପା । ଆଉ ରୋଗର ଯନ୍ତ୍ରଣାରେ ଘାଂଟି ହେଉଛି ପୁଅ । କେନ୍ଦୁଝର ଘସିପୁରା ବ୍ଲକ ବେଲଦା ଗାଁ ର ରମେଶ ଓଝା । ୩ ପ୍ରାଣୀଙ୍କୁ ନେଇ ଚଳୁଥିଲା ପରିବାର । ଦିନ ମଜୁରୀଆ ଭାବେ କାମ କରି ଦୁଃଖ କଷ୍ଟେ ସଂସାର ଯେନତେନ ପ୍ରକାର ଚଳାଇ ନେଉଥିଲେ ରମେଶ । ସକାଳୁ ରମେଶ କାମକୁ ଗଲେ ଘରେ ଚୁଲି ଜଳେ । ଆଉ ଯେଉଁ ଦିନ କାମ କରିବା ବନ୍ଦ ସେଦିନ ଘରେ ଚୁଲି ଜଳିବା କଷ୍ଟକର । ଏପରି ସ୍ଥିତିରେ ପୁଅର ଏ ଅବସ୍ଥାକୁ ଦେଖିକି ରମେଶଙ୍କ ମୁଣ୍ଡରେ ପଡିଛି ବଜ୍ର ଚଡକ ।

ଗୋଡରେ ବାହାରିଛି ମାଂସ ପିଣ୍ଡୁଳା । ଏହି ମାଂସ ପିଣ୍ଡୁଳା ଏବେ ନୁହେଁ ବରଂ ଛୁଆଟି ବେଳରୁ ବାହାରିଲାଣି । ପାଖାପାଖି ୬ ବର୍ଷ ହେବ ଗୋଡରେ ଘା’ ବି ହୋଇ ଗଲାଣି । ତେଣୁ ଚଲାବୁଲା କରିବା ପୁଅ ରଂଜନଙ୍କ ପାଖରେ ସମ୍ଭବ ହେଉନାହିଁ । ନିଜ ଛୁଆର ଏ ଦୁଃଖ ବାପା ଓ ମା ଦେଖିପାରୁନାହାନ୍ତି । ଘରେ ଯାହା ଯେତିକି ଥିଲା ତାକୁ ବିକି ଭାଂଗି ପୁଅର ଚିକିତ୍ସା କରାଇଲେ । କିନ୍ତୁ କିଛି ଲାଭ ହେଲା ନାହିଁ । ବଡଡାକ୍ତରଙ୍କୁ ଦେଖାଇବା ପାଇଁ ଅଂଟିରେ ବି ଆଉ ପଇସା ଟିଏ ନାହିଁ । କେମିତି ଭଲ ହେବ ପୁଅ ତା’ ଚିନ୍ତାରେ ସାରା ପରିବାର । ତେବେ ପୁଅକୁ ଭଲ କରିବା ଲାଗି ସମସ୍ତଙ୍କୁ ନେହୁରା ହେଉଛନ୍ତି ବାପା ଓ ମା’ । ସେପଟେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଆନନ୍ଦପୁର ଅତିରିକ୍ତ ଉପ-ଜିଲ୍ଲାପାଳ ତାକୁ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଛନ୍ତି । ତେବେ କେବେ ରଂଜନଙ୍କୁ ସରକାରୀ ସହାୟତା ମିଳିବ ଓ ସେ ସୁସ୍ଥ ହେବ ତାହାକୁ ରହିଛି ଅପେକ୍ଷା ।