କେନ୍ଦୁଝରରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ । ଉପୁଡିପଡିଲା ବିଶାଳକାୟ ଗଛ, ଉଡିଗଲା ଅନେକ ଘରର ଛାତ

380

କନକ ବ୍ୟୁରୋ : କେନ୍ଦୁଝର ସହରରେ ଘୂର୍ଣ୍ଣିଝଡର ତାଣ୍ଡବ । ସ୍ଥିତି ଏମିତି ହୋଇଥିଲା ଯେ, ଅନେକ ସ୍ଥାନରେ ଗଛଗୁଡିକ ଉପୁଡିଯିବା ସହ ଘରଛପର ଆଦି ଉଡିଥିବା ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ପଞ୍ଚାୟତର ମଥୁରାମଣ୍ଡଳି, ବେଲପଶି ଓ ବେଲଦାଘାଟିରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ୧୦ରୁ ଊର୍ଦ୍ଧ୍ବ ଘରର ଛପର ଉଡ଼ାଇ ନେଇଛି। ୪୦ରୁ ଅଧିକ ଗଛ ଭାଙ୍ଗିଥିବା ବେଳେ କେତେକ ଗଛ ମୂଳରୁ ଉପୁଡ଼ି ଯାଇଛି। ବିଦ୍ୟୁତ୍ ଖୁଣ୍ଟଟି ଭୂଇଁରେ ଶୋଇପଡ଼ିଛି।

ଗତକାଲି ଦିନ ବେଳେ ହଠାତ ପ୍ରବଳ ବେଗରେ ଘୂର୍ଣ୍ଣିଝଡ଼ ମାଡ଼ି ଆସିଥିଲା। ଏତେ ଜୋରରେ ପବନ ହୋଇଥିଲା ଯେ ବେଲଦା ସଂରକ୍ଷିତ ଜଙ୍ଗଲରେ ୨୦ ରୁ ଊର୍ଦ୍ଧ୍ବ ଶାଳଗଛ, ବେଲପଶିରେ ୧୦ଟି ଗଛ, ମଥୁରାମଣ୍ଡଳୀରେ ୧୦ଟି ଗଛ ଧରାଶାୟୀ ହୋଇଥିଲା। ବେଲପଶିରେ ଗୋଟିଏ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯାଇଥିଲା। ମଥୁରାମଣ୍ଡଳୀର ରେବତୀ ନାଏକ, ଲବଙ୍ଗ ନାଏକ, ଦାସିଆ ନାଏକ, ବାସନ୍ତୀ ନାଏକ, ବେଲପଶି ଗ୍ରାମର ଋଷି ମହାନ୍ତ, ଭାସ୍କର ମହାନ୍ତ, ଅଶୋକ ଦାସ, ଗୁରୁବାରୀ ମହାନ୍ତ, ମିତ୍ରଭାନୁ ମହାନ୍ତ, ଭାସ୍କର ନାଏକ, ବାବୁଲି ନାଏକ ଓ ବାସନ୍ତୀ ଦାସଙ୍କର ଘର ଛପର ଉଡ଼ିଯାଇଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ହଠାତ ଘୂର୍ଣ୍ଣିଝଡ଼ ଆସିବାରୁ ସେମାନେ ଭୟଭୀତ ହୋଇପଡ଼ିଥିଲେ। ଯିଏ ଯେଉଁଠି ଥିଲେ ସୁରକ୍ଷିତ ରହିବା ପାଇଁ ଘର ଭିତରକୁ ଦୌଡ଼ି ଯାଇଥିଲେ। ପକ୍କା, କୋଠାଘରର କିଛି କ୍ଷତି ହୋଇନଥିଲା। କିନ୍ତୁ ଆଜବେଷ୍ଟସ, ଚାଳ ଛପର ଉଡ଼ିଯାଇଥିଲା। ଗଛ ପଡ଼ି ଟାଇଲ ଛପର ଘର ବି କ୍ଷତିଗ୍ରସ୍ତ ହୋଇଛି। ଘର ଭିତରେ ଥିବା ଲୋକମାନେ ଭଗବାନଙ୍କୁ ଡାକି ବସି ରହିଥିଲେ। ପ୍ରାୟ ୨୦ ମିନିଟ ଧରି ପ୍ରଳୟ ରଚିବା ପରେ ଝଡ଼ ଥମି ଯାଇଥିଲା।