କନକ ବ୍ୟୁରୋ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାର୍...ମୋର ପ୍ରଣାମ ନେବେ...ମୁଁ ସୁଭଦ୍ରା ନାଏକ । ବୟସ ମାତ୍ର ୧୭ ବର୍ଷ । ଏ ଚିଠି ଲେଖିବାର କାରଣ ଏହି କି ଯେ, ମୋ ପ୍ରକୃତ ବାପା ମାଆ କିଏ ମୁଁ ଜାଣିନି । ମୁଁ ଯେତେବେଳେ ଅଢେଇ ମାସର ହେଇଥିଲି, ସେତେବେଳେ କେନ୍ଦୁଝର ପାଟଣା ବ୍ଲକର ବିଜୟ ନାଏକ ମୋତେ ଆଣି ପାଳିଥିଲେ । ଆଉ ଆଜି ପର୍ଯ୍ୟନ୍ତ ତାଙ୍କର ପରିଚୟରେ ମୁଁ ବଞ୍ଚିଆସୁଛି ।ମୋତେ ପରିଚୟ ଦେଇଥିବା ପିତା ମାତା ୩ ବର୍ଷ ତଳେ ଆଗ ପଛ ହେଇ ଚାଲିଗଲେ । ମୁଁ ଏବେ ବଡ କଷ୍ଟରେ ଜୀବନ ଜିଉଛି ସାର୍ । ବିଲବାଡିରେ କାମ କରି କରି ୨୦୨୧ରେ ମୁଁ ମାଟ୍ରିକ ପାସ୍ କରିଛି । ଏବେ ଏଇ ଭଙ୍ଗା ଦଦରା ଘରେ ମୋ ସମୟ କଟୁଛି । ଆଉ ରାତି ହେଲେ ପଡୋଶୀଙ୍କ ଘରେ ମୁଁ ମୁଣ୍ଡ ଗୁଞ୍ଜୁଛି । ମୁଁ ପଢିବାକୁ ଚାହୁଁଛି ସାର୍, ମୋତେ ସାହାଯ୍ୟ କରନ୍ତୁ । ମୋତେ ସହାୟତା ଟିକେ ଦିଅନ୍ତୁ ।
ଏ ଚିଠିର କେଇ ପଦ କଥା ହିଁ, ସୁଭଦ୍ରା ମନର ଦୁଃଖ, ଯନ୍ତ୍ରଣା ଆଉ ତା ଜୀବନର ଅଭାବୀ ପଣକୁ ବଖାଣି ଦେଉଛି । ଏ ଅନାଥ ଝିଅ ଆଖିରେ କେତେ ସ୍ୱପ୍ନ ସାଇତା ହେଇ ରହିଛି ଆଉ କେତେ ଯେ ଆଶା ତା ମନରେ ଏବେ ବି ବସା ବାନ୍ଧି ବସିଛି । ତା ବୋଧେ ସୁଭଦ୍ରା ନିଜେ ବି ଜାଣିନି ।
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ମଲ୍ଲିପଶି ଗାଁ । ଆଉ ଏ ଭଙ୍ଗା ଦଦରା ଟାଇଲ୍ ଘର । ପ୍ରଧାନମନ୍ତ୍ରୀଙ୍କୁ ଆବେଗଭରା ଚିଠି ଲେଖିଥିବା କୁନି ଝିଅ ସୁଭଦ୍ରା ନାଏକର ଠିକଣା କହିଲେ, ବାସ୍ ଏତିକି ହେବ । ଏଇ ଭଙ୍ଗା ଘରେ ହିଁ ସୁଭଦ୍ରା ଦିନ କାଟୁଛି । ଅଭାବ, ଅସୁବିଧା ଭିତରେ ତା ସମୟ ବିତୁଛି । ତେବେ ଜୀବନକୁ ଜିଉ ଜିଉ, ଯେତେବେଳେ ସହିବାର ସୀମା ଟପିଯାଇଛି, ପାଠ ପଢା ମଝିରେ ଅଭାବ ଅସୁବିଧା ପାହାଡ ହେଇ ଠିଆ ହେଇଛନ୍ତି । ସେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ଏମିତି ଚିଠି ଲେଖିଛି କୁନି ଝିଅ ସୁଭଦ୍ରା ନାଏକ ।
ସୁଭଦ୍ରାର ଯେତେବେଳେ ନବମ ଶ୍ରେଣୀ ପରୀକ୍ଷା ଦେଉଥିଲା, ସେତେବେଳେ ବାପା ବିଜୟ ନାଏକ, ସବୁଦିନ ପାଇଁ ତା ହାତ ଛାଡି ଆରପାରିକୁ ଚାଲିଯାଇଥିଲେ । ମା ରମି ନାଏକ ବି ସୁଭଦ୍ରାକୁ ପର କରି କିଛି ଦିନ ପରେ ଆଖି ବୁଜିଦେଲେ । ଏବେ ଏତେ ବଡ ଦୁନିଆରେ ସୁଭଦ୍ରା ପୂରାପୂରି ଏକୁଟିଆ । ଦିନେ ଖାଇଲେ ଦି ଓଳି ଉପାସ ରହିବାକୁ ପଡୁଛି । ବିଲ କାମ ନକଲେ ଭୋକରେ ଶୋଇବାକୁ ପଡୁଛି ।
ଦର୍ଶକ ବନ୍ଧୁ...କିଛି ଦିନ ତଳେ ଆମେ ବାଲେଶ୍ୱର ରେମୁଣାର ସୁଭଦ୍ରା ପଣ୍ଡାଙ୍କ କାହାଣୀ ଦେଖେଇଥିଲୁ । ଯିଏ ପାଠ ପଢିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହିତ ସାହାଯ୍ୟ ଭିକ୍ଷା କରିିଥିଲେ । ଆଉ ଏବେ କେନ୍ଦୁଝର ପାଟଣାର ସୁଭଦ୍ରା ନାଏକ ମଧ୍ୟ ସେଇ ସମାନ କଥା ଦୋହରେଇଛନ୍ତି । ତେବେ ଏ ସବୁ ଭିତରେ କେବେ ସୁଭଦ୍ରାକୁ ସାହାଯ୍ୟ ମିଳୁଛି । କେବେ ତା ସ୍ୱପ୍ନ ସତ ହେଉଛି । ଆଉ ତା ଭଙ୍ଗା ଦଦରା ଘର କେବେ ସଜାଡିହେଉଛି, ତାହା ଦେଖିବାକୁ ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/08/35-15.jpg)