ଚାହିଦା ବଢୁଛି, ବେପାର ଜମୁଛି । ରାଜ୍ୟ ବାହାରେ ବି ରହିଛି କେନ୍ଦୁଝର ବଡିର ଆଦର । ଚାହିଦା ବଢିବା ସହ ସ୍ୱାବଲମ୍ବୀ ହୋଇଛନ୍ତି ଜିଲ୍ଲାର ମହିଳା

115

କନକ ବ୍ୟୁରୋ : କେନ୍ଦୁଝର ଆସୁଥିବା ଅଧିକାଂଶ ବ୍ୟକ୍ତିଙ୍କ ନଜରରେ ରହିଥାଏ କେନ୍ଦୁଝର ବଡ଼ି । ଏହି ବଡିର ଚାହିଦା କେବଳ ରାଜ୍ୟରେ ନୁହେଁ, ରାଜ୍ୟ ବାହାରେ ବି ଚାହିଦା ବଢ଼ି ଚାଲିଛି । ଚାହିଦା ବଢିବା ସହ ଜିଲ୍ଲାର ମହିଳାମାନଙ୍କୁ ଏହା ସ୍ୱାବଲମ୍ବୀ କରିଥାଏ । ତେବେ ଏହି ବଡି କିପରି ପ୍ରସ୍ତୁତ ହୋଇଥାଏ ଏବଂ ଏହା କିପରି ମହିଳାମାନଙ୍କ ରୋଜଗାର ବଢ଼ାଇବାରେ ସହାୟକ ହୋଇଥାଏ ।

ଶୀତଦିନ ଆସିଲେ କେନ୍ଦୁଝରରେ ମହିଳାମାନେ କର୍ମଚଂଚଳ ହୋଇଯାନ୍ତି । କାରଣ ଶୀତ ଦିନ ସହ ଯୋଡି ହୋଇରହିଛି ସେମାନଙ୍କ ରୋଜଗାରର ପନ୍ଥା । ଦୁର୍ଗାପୂଜା ପରେ ପରେ ଘରେ ଘରେ ମହିଳାମାନେ ଲାଗି ପଡନ୍ତି ବଡି ତିଆରି କରିବାରେ । କେନ୍ଦୁଝରରେ ପ୍ରସ୍ତୁତ ହୁଏ ଭଳିକି ଭଳି ବଡ଼ି । ବିରିକୁ ପାଣିରେ ବତୁରାଇ ଗୋଟିଏ ରାତି ରଖାଯାଏ । ସକାଳୁ ସକାଳୁ ବତୁରା ବିରିକୁ ବଟାଯାଏ । ପରେ ବଟା ବିରିକୁ ନରମ ଏବଂ ହାଲୁକା କରିବାକୁ ଏହାକୁ ଫେଣା ଯାଏ । ଯେତେବେଳେ ବିରି ଫୁଲି ଉଠେ ତାପରେ ବଡିର ପ୍ରକାର ଅନୁଯାୟୀ ଫେଣାବିରିକୁ ପ୍ରସ୍ତୁତ କରାଯାଏ ।

ମସଲା ବଡି ପାଇଁ ଏଥିରେ ବଟା ମସଲା ମିଶାଯାଉଥିବା ବେଳେ କଖାରୁ ବଡି ପାଇଁ କଖାରୁ ବଟା ମିଶାଯାଇଥାଏ । କିନ୍ତୁ ସବୁଠାରୁ ଅଧିକ ଚାହିଦା ରହେ ଫୁଲ ବଡି ବା ଖସା ବା ରାଶି ବଡି । ଖାଲି ସେତିକି ନୁହେଁ ଲୋକଙ୍କ ଚାହିଦା ଅନୁଯାୟୀ – ଅଦାବଡି, ଆଖୁ ବଡି, ମଞ୍ଜିବଡି ଏବଂ ବାହାଘର ବ୍ରତଘରପାଇଁ ରଙ୍ଗଦିଆ ବଡି ମଧ୍ୟ ପ୍ରସ୍ତୁତ କରାଯାଏ ।

ଏହି ବଡି ବ୍ୟବସାୟରୁ ଜଣେ ଜଣେ ମହିଳା ମାସକୁ ପ୍ରାୟ ୩୦ରୁ ୪୦ହଜାର ରୋଜଗାର କରୁଥିବାବେଳେ ଏହି ବ୍ୟବସାୟ ବର୍ଷରେ ପ୍ରାୟ ୮ ମାସ ଚାଲିଥାଏ । ଖାଲି ବ୍ୟବସାୟ କରୁଥିବା ମହିଳା ନୁହଁ ଏହା ଉପରେ ବହୁ ମହିଳା ଶ୍ରମିକ ମଧ୍ୟ ନିର୍ଭର କରି ମାସିକ ୩ ରୁ ୪ ହଜାର ଟଙ୍କା ରୋଜଗାର କରିଥାନ୍ତି । କେନ୍ଦୁଝରର ବଡି ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଏ, ରାଜ୍ୟ ବାହାରକୁ ମଧ୍ୟ ଯାଇଥାଏ । ଏପରିକି ବିଦେଶରେ ରହୁଥିବା ପ୍ରବାସୀ ମାନେ ମଧ୍ୟ ଏହାକୁ ମଗାଇ ନେଇଥାନ୍ତି ।

ଶୀତଋତୁରେ ବହୁ ପର୍ଯ୍ୟଟକ କେନ୍ଦୁଝରକୁ ଆସୁଥିବାବେଳେ ରାସ୍ତା ପାଶ୍ୱର୍ରୁ ଆରମ୍ଭ କରି ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ବଡ଼ି ଉପଳବ୍ଧ ହୋଇଥାଏ । କେନ୍ଦୁଝର ବୁଲିବାକୁ ଆସୁଥିବା ଅଧିକାଂଶ ବ୍ୟକ୍ତି ଘରକୁ ବଡ଼ି କିଣି ନେବାକୁ ଭୁଲନ୍ତି ନାହିଁ ।