କେନ୍ଦୁଝରର ଆଦର୍ଶ ଶିକ୍ଷୟିତ୍ରୀ ଉର୍ମିଳା ସାମଲ । ଅବସର ପରେ ଅଦରକାରୀ ସାମଗ୍ରୀରେ ଦେଉଛନ୍ତି ନିଜ କଳାର ଛାପ, ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଘରକରଣା ସାମଗ୍ରୀ ।

409

କନକ ବ୍ୟୁରୋ : ପ୍ଲାଷ୍ଟିକ ବୋତଲ ହେଉ କିମ୍ବା ଅଦରକାରୀ କାଚ ବୋତଲ । ସବୁ ସାମଗ୍ରୀକୁ ଆମେ ବ୍ୟବହାର କରିବା ପରେ ଅଳିଆ ଗଦାରେ ଫୋପାଡି ଦେଉ । ଫଳରେ ପରିବେଶ ପ୍ରଦୂଷିତ ହୁଏ । କିନ୍ତୁ ଏସବୁ ସାମଗ୍ରୀକୁ ନଫୋପାଡି ଏଥିରେ ମନଲୋଭା ଘରସଜା ସାମଗ୍ରୀ ପ୍ରସ୍ତୁତ କରାଯାଇ ପାରିବ । ପ୍ରଦୁଷଣ ପରିମାଣକୁ ରୋକା ଯାଇପାରିବ । ଯାହା କରି ଦେଖାଇଛନ୍ତି କେନ୍ଦୁଝରର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ଉର୍ମିଳା ସାମଲ ।

ଆପଣ ଅଦରକାରୀ ଭାବି ଫୋପାଡି ଦେଉଥିବା ସାମଗ୍ରୀ ମଧ୍ୟ ପାଇପାରେ ନୂଆ ଜୀବନ । ଅଳିଆ ଗଦାରେ ପଡୁଥିବା ଅଦରକାରୀ ସାମଗ୍ରୀକୁ ବ୍ୟବହାର କରି ପ୍ରସ୍ତୁତ ହୋଇପାରେ ସୁନ୍ଦର ସୁନ୍ଦର ମନଲୋଭା ଘରସଜା ଉପକରଣ । ହୋଇପାରେ ନୁହେଁ ହୋଇଛି । ଆଉ ଏସବୁକୁ ତିଆରି କରିଛନ୍ତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ଉର୍ମିଳା ସାମଲ । କେନ୍ଦୁଝର ସହର ବଣିଆପାଟ ଗାଁରେ ରୁହନ୍ତି ଜଣାଶୁଣା ଶିକ୍ଷୟତ୍ରୀ ଉର୍ମିଳା ସାମଲ । ଶିକ୍ଷା ଦାନ କରୁଥିବା ସମୟରେ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହୋଇ ଚର୍ଚ୍ଚାକୁ ଆସିଥିଲେ । ଆଉ ଏବେ ଅଦରକାରୀ ସାମଗ୍ରୀରେ ଘରକରଣା ଉପକରଣ କରି ଚର୍ଚ୍ଚାକୁ ଆସିଛନ୍ତି ।

ବିଦ୍ୟାଳୟରେ ପିଲାମାନଙ୍କୁ ନାଚ, ଗୀତ, କଳାକୃତି ଜରିଆରେ ପାଠପଢା ପ୍ରତି ଆଗ୍ରହ ବଢାଇବା ଦିଗରେ ଗୁରୁତ୍ୱ ଦେଉଥିଲେ ଉର୍ମିଳା । ଏବେ ଅବସର ପରେ ପେଶା ସିନା ଅଟକି ଯାଇଛି କିନ୍ତୁ ନିଶା ସେମିତି ବଳବତ୍ତର ରହିଛି । ଘରେ ବସି ବିଭିନ୍ନ ଅଦକାରୀ ସାମଗ୍ରୀଗୁଡିକୁ ସଂଗ୍ରହ କରି ସେଥିରେ ନିଜ କଳାର ଛାପ ଦେଇଛନ୍ତି । ଉର୍ମିଳାଙ୍କ ଏପରି କଳାକୃତି ଦେଖି ସଂପର୍କୀୟ ବି ଏପରି ଏଦିଗରେ ରୁଚି ପ୍ରକାଶ କରିଛନ୍ତି ।

କର୍ମମୟ ଜୀବନରେ ଅନେକ ଛାତ୍ରଙ୍କୁ ମଣିଷ କରିଥିବା ଶିକ୍ଷୟିତ୍ରୀ ଉର୍ମିଳା, ଅବସର ପରେ ବି ବିଦ୍ୟାଳୟର କୁନି କୁନି ପିଲାଙ୍କୁ କଳାକୃତି ସମ୍ପର୍କିତ ଶିକ୍ଷା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।