ଆକ୍ରାନ୍ତ ଚିହ୍ନଟ ହେବା ପରେ ତତ୍ପରତା ଦେଖାଇଲା ଜିଲ୍ଲା ପ୍ରଶାସନ । ଝାରସୁଗୁଡା ଓ କେନ୍ଦୁଝରରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଂଚଳକୁ ସିଲ କଲା ପ୍ରଶାସନ

239

କନକ ବ୍ୟୁରୋ : ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଅଂଚଳକୁ କଂଟେନମେଂଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଏହି ଜୋନ୍ ବ୍ରଜରାଜନଗର ପାଟଜୋଶୀ ଛକ ଠାରୁ ଆରମ୍ଭ ହୋଇ ଅମ୍ୱେଦକର ଛକ , ଗୁଧବାବା ମନ୍ଦିର , ଗୁଲପରା ଦୁର୍ଗା ମନ୍ଦିର , ସୁବାଷ ଛକ ଶିବ ମନ୍ଦିର , ଟନେଲ ରୋଡ୍ , ରେଳ ଫାଟକ , ଲଜକୁରା ରୋଡ , ସୀତରା ଛକ , ସାନଜୋବ୍ ପ୍ରାଥମିକ ବିଦ୍ୟାଳୟ , ରାମଗଡ ପୋଖରୀ , ମାଇନ୍ସ ନଂବର ୩ ରୋଡ ଛକ ଅଂଚଳ କଂଟେନମେଂଟ ଜୋନ୍ ଘୋଷଣା କରିଛି ପ୍ରଶାସନ ।

ଏହି କଂଟେନମେଂଟ ଜୋନରେ ସମସ୍ତ ଲୋକଙ୍କ ଯାତାୟତ ଉପରେ ରୋକ୍ ଲାଗିଛି । ଏହି ଅଂଚଳ ବାହାରେ ପ୍ରଶାସନ ଏକ ବଫର ଜୋନ୍ ମଧ୍ୟଘୋଷଣା କରିଛି । ଏହି ବଫର ଜୋନ୍ ରେ ପ୍ରଶାସନର ଅନୁମତିରେ େଔଷଧ ଓ ଡାକ୍ତରଖାନା ଯିବାକୁ ପଡିବ । ସେହିପରି ପ୍ରଶାସନ ଅନୁମତିରେ ସକାଳ ୬ଟାରୁ ଦିନ ୧୧ଟା ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗାଡି ଚଳାଚଳ କରିପାରିବ ବୋଲି କହିଛନ୍ତି ଜିଲ୍ଲାପାଳ । ପଜିଟିଭଙ୍କ ସଂସ୍ପର୍ଶରେ ୩୨ ଜଣ ଆସିଥିବା ନେଇ ସୂଚନା ପାଇବା ପରେ ଏମାନଙ୍କର ସ୍ୱାବ ଟେଷ୍ଟକରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ସେପଟେ କେନ୍ଦୁଝରରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଦେଖାଇଛି ତତ୍ପରତା । ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ବୟସ ୬୦ ବର୍ଷ । ସେ ମାର୍ଚ ୨୯ ତାରିଖରେ ପଶ୍ଚିମବଙ୍ଗରୁ ଫେରିଥିଲେ । ପ୍ରଥମେ ତାଙ୍କ ଠାରେ କୌଣସି ଲକ୍ଷଣ ଦେଖା ଦେଇନଥିଲା । ତେବେ ଜିଲ୍ଲାର ୩୭୦ ଜଣ ପଶ୍ଚିମବଙ୍ଗ ଫେରନ୍ତାଙ୍କ ନମୂନା ପରୀକ୍ଷା ପରେ ତାଙ୍କ ଠାରେ କୋଭିଡ ୧୯ ଭୂତାଣୁ ମିଳିଥିଲା । ଏହା ପରେ ଆକ୍ରାନ୍ତଙ୍କ ପଂଚାୟତକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି ।

ଏହା ପାଖ ୧୧ ଟି ଗାଁକୁ ବଫର ଜୋନ୍ କରାଯାଇଛି । ଜିଲ୍ଲାରେ ପ୍ରଥମ କରୋନା ଭୂତାଣୁ ଠାବ ହେବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ବସିଥିଲା । ସ୍ଥିତି ଉପରେ ନଜର ରଖିବା ନେଇ ବୈଠକରେ ଆଲୋଚନା ହୋଇଛି । ଏହା ସହିତ ଆକ୍ରାନ୍ତ ବ୍ୟକ୍ତିଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଏନେଇ କେନ୍ଦୁଝର ସିଡିଏମଓ ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ଏହି ବୈଠକରେ ସିଡିଏମଓଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଆକ୍ରାନ୍ତବ୍ୟକ୍ତିଙ୍କ କଂଟାକ୍ଟଟ୍ରେସିଂ କାମ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।