କନକ ବ୍ୟୁରୋ : ଦିନେ ଗାଁକୁ କବଳିତ କରିଥିଲା ମଦର ନିଶା । ପରିବାରରେ କଳହ ଓ ଅଶାନ୍ତି ବଢି ଚାଲିଥିିଲା । ମଦ ପିଇ ଲୋକେ ପ୍ରାଣ ବି ହରାଉଥିଲେ । ଯୋଡା ଖଣି ଅଂଚଳରେ ଥିବା ଗାଁର ଏଭଳି ସ୍ଥିତି ଦେଖି ମଦ ବିରୋଧୀ ଆନ୍ଦୋଳନ କରିଥିଲେ କିଛି ସ୍ୱେଚ୍ଛାସେବୀ । ଘର ଘର ବୁଲି ଲୋକଙ୍କୁ ମଦ ବିରୋଧରେ ମତେଇଲେ, ଆଉ ନିଜ ଅଂଚଳକୁ ମଦ ମୁକ୍ତ ଅଂଚଳ କଲେ ।
ମଦ କବଳରୁ ନିଜ ଗାଁକୁ ମୁକ୍ତ କରି ଉତମ ବାତାବରଣରେ ଜୀବନ ଯାପନ କରିବା ପାଇଁ ଅଂଟା ଭିଡିଛି ଗାଁ କମିଟି । ଅସମ୍ଭବକୁ ସମ୍ଭବ କରିଛି ଗ୍ରାମବାସୀଙ୍କ ଏକତା । ମଦ ପିଇ ୨ ବର୍ଷରେ ୧୦୦ ଜଣଙ୍କ ମୃତ୍ୟୁ ପରେ ପରିବାରର ଦୁର୍ଦ୍ଦଶା ବଢୁଥିଲା । ସେପଟେ ଅଣାୟତ ହୋଇପଡୁଥିଲା ମଦ୍ୟପାନ ଜନିତ ଅତ୍ୟାଚାର । ମଦ, କାହା ସିନ୍ଥିର ସିନ୍ଦୁର ପୋଛି ଦେଇଛି, ତ କାହାକୁ ଅନାଥ କରି ଦେଇଛି । କେନ୍ଦୁଝର ଯୋଡା ବ୍ଲକ ଉଚ୍ଚବାଲି ଗାଁରେ ଅତୀତକୁ ପୁନାରବୃତି ନକରିବା ପାଇଁ ସ୍ୱେଚ୍ଛାସେବୀ ସଂଜୟ ବାରିକ ଉଦ୍ୟମ ଚଳାଇଛନ୍ତି । ଗାଁର କିଛି ଲୋକଙ୍କୁ ଏକାଠି କରି ବାବା ଧବଳେଶ୍ୱର କମିଟି ଗଠନ କରାଯାଇଛି । ଆଉ ଏହି କମିଟି ଅହରହ ମଦ ବିରୋଧରେ କାମ ଜାରି ରଖିଛି ।
ଯୋଡା ଖଣି ଅଞ୍ଚଳ ଉଚ୍ଚବାଲି ଗାଁ ନିକଟରେ ଥବା ମଦ ଭାଟି ଭାଙ୍ଗିବା ସହ ମଦ୍ୟପାନ କରୁଥିବା ଲୋକଙ୍କୁ ବୁଝାଉଛି ବାବା ଧବଳେଶ୍ୱର କମିଟି । ଏହାସହ ମଦ ପିଉଥିବା ବ୍ୟକ୍ତିଙ୍କୁ ବିଭିନ୍ନ କାମରେ ନିୟୋଜିତ କରୁଛି କମିଟି । କାମରେ ଲୋକ ମନ ନିବେଶ କରିବା ପରେ ୫ ମାସ ହେବ ଗାଁ ମଦମୁକ୍ତ ଅଂଚଳ ହୋଇଥିବା କୁହାଯାଉଛି ।
ଉଚ୍ଚବାଲି ଗାଁର ୭ଟି ସାହିରେ ୩ ଶହ ପରିବାର ବସବାସ କରନ୍ତି । ଗାଁର ୮୦ ଭାଗ ଲୋକ ଖଣିରେ କାମ କରି ଯାହା ରୋଜଗାର କରୁଥିଲେ ମଦ ପିଇ ଉଡାଇ ଦେଉଥିଲେ । ହେଲେ ଗାଁ କମିଟିର ମଦ ବିରୋଧୀ ଆନ୍ଦୋଳନ ସଫଳ ହେବା ପରେ ପ୍ରତି ପରିବାରରେ ଖୁସି ଫେରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/PHOTO-01000306.png)