ଦୁଃଖ ଦରିଆରେ ଦୁଇ ଭଉଣୀ…ବାପା ନାହିଁ କି ମାଆ ନାହିଁ, ସାହି ପଡିଶାଙ୍କ ହାତଟେକାରେ ଜିଉଁଛନ୍ତି ଜୀବନ…ଅସହାୟ ଏହି କୁନି ଝିଅଙ୍କ ଉପରେ କେବେ ପଡିବ ସରକାରଙ୍କ ନଜର

515

କନକ ବ୍ୟୁରୋ: କଥାରେ ଅଛି ମାଆ ନାହିଁ ଯାହାର ସାହା ନାହିଁ ତାହାର । ଆଉ ଏହି ଉକ୍ତିର ମର୍ମ ଏବେ ଅଙ୍ଗେ ଲିଭାଉଛନ୍ତି ବାଙ୍ଗୋର ଗାଁର ଦୁଇ ଭଉଣୀ । ବାପା ରକ୍ତ କର୍କଟରେ ଆକ୍ରାନ୍ତ ହୋଇ ଆଖିବୁଜିବା ପରେ ମାଆର ପଣତକାନି ବି କିଛିଦିନ ପରେ ଏମାନଙ୍କ ମୁଣ୍ଡରୁ ସବୁଦିନ ପାଇଁ ହଟିଗଲା । ଆଉ ବାପାମାଆଙ୍କୁ ହରାଇ ଏବେ ବେସାହାରା ହୋଇଯାଇଛନ୍ତି ଏହି ଦୁଇ ଭଉଣୀ ।

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଙ୍ଗୋର ଗାଁରେ ହରିହର ପୃଷ୍ଟିଙ୍କ ଘର । ପରିବାର କହିଲେ ସେ, ତାଙ୍କ ପତ୍ନୀ ଓ ଦୁଇ ଝିଅ । ତେବେ ହରିହରଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ପରଘରେ ମୁଲ ଲାଗି ଯାହା କିଛି ଆଣନ୍ତି ସେଇଥିରେ ହିଁ ତାଙ୍କ ପୂରା ପରିବାର ହସ ଖୁସିରେ ଚଳିଯାଏ । ହେଲେ ଭାଗ୍ୟର ବିଡମ୍ବନା ଦେଖ, ରକ୍ତ କର୍କଟ ରୋଗରେ ଶିକାର ହୋଇ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ହରିହର । ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାରର ପୂରା ଦାୟିତ୍ୱ ଚାଲିଆସିଥିଲା ତାଙ୍କ ପତ୍ନୀ ଲୀଳାବତୀଙ୍କ ଉପରେ । ଦୁଇ ପିଲାଙ୍କୁ ମଣିଷ କରିବାକୁ ଶେଷରେ ରୋଜଗାର ଲାଗି ବାହାରକୁ ଗୋଡ କାଢିବାକୁ ବାଧ୍ୟ ହୋଇଥିଲେ । ଗାଁରେ ଥିବା ଏକ ସ୍କୁଲରେ ପାଚିକା ଭାବେ କାମ ଆରମ୍ଭ କରିଥିଲେ ଲୀଳାବତୀ । ମାତ୍ର ବିଧିର ବିଧାନ ବଡ ବିଚିତ୍ର । ଏକଦା ସ୍କୁଲରେ ରୋଷେଇ କରୁଥିବା ସମୟରେ ହଠାତ୍ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା ଆଉ ଘଟଣାସ୍ଥଳରେ ହିଁ ଚାଲିଯାଇଥିଲା ଲୀଳାବତୀଙ୍କ ପ୍ରାଣବାୟୁ ।

ଏବେ ବାପାମାଆଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି ଦୁଇ ଭଉଣୀ । କାହିଁନା ଏମାନଙ୍କ ମୁଣ୍ଡରେ ନା ଅଛି ବାପାଙ୍କର ହାତ ନା ମାଆର ପଣତକାନି । ଚଳିବାକୁ ଏମାନଙ୍କ ପାଖରେ ନା କୌଣସି ସମ୍ଭଳ ରହିଛି ନା ନିଜର ଖଣ୍ଡିଏ ଜମିବାଡି । କେବଳ ସାହି ପଡିଶାଙ୍କ ହାତଟେକାରେ ହିଁ ବଂଚିଛନ୍ତି ଏହି ଦୁଇ ଅସହାୟ ଭଉଣୀ । ତେବେ ଗରିବଙ୍କ ପାଇଁ ସରକାର ଅନେକ ଯୋଜନା କରୁଥିବା ବେଳେ ଏହି ଦୁଇ ଗରିବ ଝିଅଙ୍କ ଉପରେ କେବେ ପ୍ରଶାସନର ନଜର ପଡୁଛି ତାହା ଏବେ ଦେଖିବାକୁ ବାକି ରହିଲା ।