କନକ ବ୍ୟୁରୋ: ଆଜିର ଦୁନିଆରେ ମଣିଷର ଆବଶ୍ୟକତା ଥିଲେବି ସେ ଏହାର ପୁରଣ ପାଇଁ ସରକାର କିମ୍ବା ପର ଉପରେ ନିର୍ଭର କରିବାକୁ ପଡିଥାଏ । କିନ୍ତୁ ଆବଶ୍ୟକତାର ମୂଲ୍ୟ ଯିଏ ବୁଝିଥାଏ ସେ ହିଁ ଏହାର କିପରି ସମାଧାନ ହେବ ନିଜେ ଚେଷ୍ଠା କରିଥାଏ । ବେଳେ ବେଳେ ଅବଶ୍ୟକତା ପୁରଣ ପାଇଁ କେହି କେହି ଏପରି କିଛି କରିପାରିଥାନ୍ତି ଯାହା ସମାଜ ପାଇଁ ସୃଷ୍ଟି କରିପାରିଥାଏ ଅନ୍ୟନ୍ୟ ଉଦାହରଣ । ଆଉ ଏପରି ଏକ ଉଦାହରଣ ମୂଳକ କାର୍ଯ୍ୟ କରିପାରି ଦେଖାଛନ୍ତି କେନ୍ଦୁଝରର ଲକ୍ଷ୍ମୀଧର ମୁଣ୍ଡା । ନିଜ ବୁଦ୍ଧିବଳରେ ସେ ମାତ୍ର ୩ଖଣ୍ଡ କାଠ ଓ ପ୍ଲାଷ୍ଟିକ ପାଇପ ସାହାର୍ଯ୍ୟରେ କାଠ ନଳକୁପ କରି ଦୂର କରିପାରିଛନ୍ତି ୩୦ ପରିବାରର ଜଳ ସମସ୍ୟା ।
କେନ୍ଦୁଝର ସଦର ବ୍ଲକ ରାଇକଳା ପଂଚାୟତ ବନେଇକଳା ପ୍ରଧାନସାହିରେ ଲକ୍ଷ୍ମୀଧରଙ୍କ ଘର । ଏହି ଗାଁରେ ପ୍ରାୟତଃ ୩୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ଗାଁରେ ପାନୀୟଜଳ ସମସ୍ୟା ସଦାବେଳେ ଲାଗିରହିଥିଲା । କାହିଁକି ନା ଗାଁର ଚାରିପାଖେ ପଥୁରିଆ ଚଟାଣ ଥିବାରୁ ନଳକୁପଟିଏ ଖୋଳା ଯାଇପାରୁନଥିଲା । ଫଳରେ ପ୍ରାୟ ଅଧ କିଲୋମିଟର ଦୂର ଅତିକ୍ରମ କରି ଗାଁ ଲୋକଙ୍କୁ ପାଣି ଆଣିବାକୁ ପଡେ । ତେବେ ଗାଁରେ ଏପରି ସମସ୍ୟା ଲାଗି ରହିଥିବାରୁ ଏହାର ସମାଧାନ ପାଇଁ ଚିନ୍ତାରେ ଥିଲେ ଲକ୍ଷ୍ମୀଧର । ପିଲାଟି ବେଳୁ କିଛି ଗୋଟେ ନୂଆ କରିବାକୁ ଆଗ୍ରହ ରଖିଥିବା ଲକ୍ଷ୍ମୀଧର ଘରର ଆର୍ଥିକ ଅବସ୍ଥା ପାଇଁ ବେଶି ପାଠପଢି ପାରିନଥିଲେବି କିନ୍ତୁ ତାଙ୍କର ମନୋବଳ କେବେ ମଉଳି ଯାଇନଥିଲା । ଜଳ ସମସ୍ୟା ଦୂର କରିବାକୁ ଲକ୍ଷ୍ମୀଧର ନିଜ ବୁଦ୍ଧିରେ ଏକ କାଠ ନଳକୁପ କରିବାକୁ ମନସ୍ଥ କରିଥିଲେ । ଆଉ ଗାଁ ନିକଟରେ ଥିବା ଜଳାଶୟରୁ କିପରି ପାଣି ଆଣିହେବ ସେଥିପାଇଁ ଏହି ନଳକୂପଟି ତିଆରି କରିଥିଲେ ।
ଏହି ନଳକୂଳଟି ନିର୍ମାଣ କରିବା ପାଇଁ ସେ ୩ଖଣ୍ଡ କାଠ ଏବଂ ପ୍ଲାଷ୍ଟିକ ପାଇପ ଯୋଗାଡ କରିଥିଲେ । ଜଳାଶୟରୁ ୧ଇଂଚର ପାଇପ ମାଟି ତଳେ ତଳେ ଘର ନିକଟକୁ ଆଣିଥିଲେ ଆଉ ଘରପାଖରେ ଉକ୍ତ ପାଇପରୁ ସକେଟ ଲଗାଇ ମାଟିତଳୁ ୪ଫୁଟର ଏକ ଅଢେଇ ଇଂଚର ପାଇପ ଉପରକୁ ବାହାର କରିଛନ୍ତି । ଉକ୍ତ ପାଇପର ଅଧାରେ କଣା କରି ଟ୍ୟୁବ ସାହାର୍ଯ୍ୟରେ ଆଉ ଏକ ଛୋଟ ପାଇପ ଯୋଡିଛନ୍ତି । ୨.୫ ଇଂଚର ପାଇପ ଭିତରୁ ଏକ ୱାସର ଯୁକ୍ତ ଲୁହା ରଡ୍ ଉପରକୁ ବାହାର କରି ଖଣ୍ଡେ ଶୁଖିଲା କାଠରେ ଉକ୍ତ ରଡକୁ ବାନ୍ଧି ରଖିଛନ୍ତି । ଆଉ ୨ଟି କାଠ ଖୁଂଟ ପୋତି ରଡରେ ସଂଯୋଗ ହୋଇଥିବା କାଠ ଖଣ୍ଡକୁ ହ୍ୟାଣ୍ଡେଲ ସଦୃଶ ୨ କାଠ ଖୁଂଟ ମଝିରେ ବାନ୍ଧି ଦେଇଛନ୍ତି । ଜଳାଶୟରୁ ଆସିଥିବା ୧ ଇଂଚ ପାଇପରେ ପାଣି ଛଣା ବେଲୁନ ଲଗାଇଛନ୍ତି । ଆଉ ଏହି କାଠ ହ୍ୟାଣ୍ଡେଲ ବ୍ୟବହାର କରି ପୋଖରୀରୁ ପାଣି ଆଣି ଗାଁରେ ପହଂଚାଇ ପାରିଛନ୍ତି ଲକ୍ଷ୍ମୀଧର ।
ସତରେ ଲକ୍ଷ୍ମୀଧରଙ୍କ ଏପରି ଉଦ୍ଭାବନ ସାହିର ଜଳ ସମସ୍ୟା ଦୂର କରିଥିବାବେଳେ ଏଥିପାଇଁ ଗ୍ରାମବାସୀ ବେଶ୍ ଖୁସି ଥିବା କହିଛନ୍ତି । ଆଗକୁ ସ୍ୱୟଂଚାଳିତ ମାଟି କୋଡା ଯନ୍ତ୍ର ନିର୍ମାଣ ସହ ବହୁ କିଛି କରିବାକୁ ଇଚ୍ଛା ରଖିଛନ୍ତି ଲକ୍ଷ୍ମୀଧର ।