ବସ୍ତି ବାସିନ୍ଦାଙ୍କ ନିଆରା ପ୍ରୟାସ । ବାରମ୍ବାର ଅଭିଯୋଗ ସତ୍ୱେ ପ୍ରଶାସନ ନଶୁଣିବାରୁ ନିଜେ ସଫାକଲେ ଅଳିଆ ଆବର୍ଜନା

37

କନକ ବ୍ୟୁରୋ: ଗୁହାରି କରି କରି ଥକିଗଲେ । ନା ଶୁଣିଲା ପ୍ରଶାସନ, ନା ଶୁଣିଲେ ଖଣି କର୍ତ୍ତୃପକ୍ଷ । ଶେଷରେ ବାଧ୍ୟ ହୋଇ ଶହେ ବର୍ଷର ପୂରୁଣା ନାଳକୁ ପୁନରୁଦ୍ଧାର ପାଇଁ ଅଂଟା ଭିଡିଲେ ଗ୍ରାମବାସୀ । ଏଭଳି ଏକ ଘଟଣା ଘଟିଛି କନ୍ଦୁଝର ଜିଲ୍ଲା ଯୋଡା ଖଣି ଅଂଚଳରେ ।

କୋଡି କୋଦାଳ ଧରି ମାଟି ଖୋଳିବାରେ ବ୍ୟସ୍ତ ଅଛନ୍ତି ବସ୍ତି ବାସିନ୍ଦା । ଛୋଟପିଲାଠୁ ବୟସ୍କ ସମସ୍ତେ ଲାଗି ପଡିଛନ୍ତି କାମରେ । ନାଳରେ ଥିବା ଅଳିଆ ଆବର୍ଜନା ସଫା କରିବା ପରେ ଚାଲିଛି ପଙ୍କ ଉଦ୍ଧାର କାର୍ଯ୍ୟ । ଏହି ଚିତ୍ର ହେଉଛି କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ଅନ୍ତର୍ଗତ ଜୁରୁଡି ପେଣ୍ଠେଇ ବସ୍ତିର । ଦୈନନ୍ଦିନ ଆବଶ୍ୟକତା ପାଇଁ ଏହି ଦଲକି ନାଳ ଉପରେ ନିର୍ଭର କରିବାକୁ ପଡିଥାଏ ଲୋକଙ୍କୁ । ନାଳର ପଙ୍କୋଦ୍ଧାର ପାଇଁ ପ୍ରଶାସନ ପାଖରେ ଗୁହାରି କରି ବିଫଳ ହେବା ପରେ ନିଜ କାମ ନିଜେ କରିବାକୁ ଅଂଟା ଭିଡିଛନ୍ତି ପେଣ୍ଠେଇ ବସ୍ତିର ବାସିନ୍ଦା । ଖୁବ୍ କଠିନ ପାଲଟି ଯାଇଥିବା ପଙ୍କକୁ ଖୋଳିବାକୁ ଖୁବ୍ କଷ୍ଟ ହେଉଥିଲେ ବି ନିଜ ଆବଶ୍ୟକତା ପୂରଣ ପାଇଁ ଏହା ଜରୁରୀ ବୋଲି କହିଛନ୍ତି ଲୋକେ ।

ଜଲହରି ପଂଚାୟତରୁ ବାହାରିଥିବା ଦଲକି ନାଳ ୩ଟି ପଂଚାୟତ ଦେଇ ବୈତରଣୀ ନଦୀରେ ମିଶିଛି । ଏହି ନାଳ ଉପରେ ନିର୍ଭର କରିଥାନ୍ତି ପ୍ରାୟ ୩୦ଟି ଗାଁର ବାସିନ୍ଦା । ଖଣି ଅଂଚଳ ଦେଇ ଯାଇଥିବା ଦଲକି ନାଳର ଆଖ ପାଖରେ ରହିଛି ୬ଟି ଖଣି । ନାଳର ପଙ୍କ ଉଦ୍ଧାର ପାଇଁ ଖଣି କର୍ତୃପକ୍ଷ ପ୍ରତିଶ୍ରୁତି ଦେଇ ମଧ୍ୟ ପୂରଣ କଲେନି । ଫଳରେ ଦିନକୁ ଦିନ ପୋତି ହୋଇ ପଡୁଥିବା ଦଲକି ନାଳକୁ ପୁନରୁଦ୍ଧାର ପାଇଁ ଆଗେଇ ଆସିଛନ୍ତି ବସ୍ତିର ଲୋକେ । ତେବେ ପ୍ରଶାସନ କିମ୍ବା ଖଣି କର୍ତ୍ତୃପକ୍ଷଙ୍କୁ ଅପେକ୍ଷା ନକରି ନିଜ କାମ ନିଜେ କରିଛନ୍ତି ଜୁରୁଡି ପେଣ୍ଠେଇ ବସ୍ତି ବାସିନ୍ଦା । ଆଉ ଏମାନଙ୍କ ଏପରି କାର୍ଯ୍ୟ ଏବେ ଅନ୍ୟ ମାନଙ୍କ ପାଇଁ ସାଜିଛି ଉଦାହରଣ ।