କନକ ବ୍ୟୁରୋ: ଜଣେ ନେତା ଜନତାଙ୍କ ପାଇଁ ଆଦର୍ଶ ହେବା ଉଚିତ୍ । ବେଳେବେଳେ ଦେଖାଯାଏ ନେତା ଗାଦିରେ ବସିଯିବା ପରେ ତାଙ୍କ ଚାଲି ଚଳଣି, ଆଚାର ବ୍ୟବହାର ବଦଳିଯାଏ । ଜୀବନଶୈଳୀରେ ପରିବର୍ତ୍ତନ ହୁଏ, କିନ୍ତୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଟିକେ ନିଆରା । ବିଧାୟକ ହୋଇ ବି ସେ ଭୁଲିନାହାନ୍ତି ତାଙ୍କ କୌଳିକ ବୃତ୍ତି କି ତାଙ୍କୁ ପ୍ରଭାବିତ କରିପାରିନି ଏହି ପଦ ପଦବୀ ।

Advertisment

ନିଜ ଜୀବନର ପ୍ରତିଟି ଦିନକୁ ଦୁଇ ଭାଗରେ ଭାଗ କରି ଦିଅନ୍ତି ବିଧାୟକ ଅଙ୍ଗଦ କହଁର । ସକାଳ ୬ଟାରୁ ସାଢେ ୮ଟା ଯାଏଁ ସେ ଜମିରେ କାମ କରନ୍ତି । ଏହାପରେ ଘରକୁ ଆସି ଘଣ୍ଟାଏ ଭିତରେ ନିଜର ନିତ୍ୟକର୍ମ ସାରି ବାହାରି ଯାଆନ୍ତି ଜନସେବାରେ । ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ ଭେଟନ୍ତି, ସେମାନଙ୍କ ଦୁଃଖ ସୁଖର ସାଥୀ ହୁଅନ୍ତି । ସେଇଥି ପାଇଁ ତ ନିଜର ରାଜନୈତିକ ଜୀବନରେ ୪ ଥର ସରପଞ୍ଚ, ଥରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଥରେ ଜିଲ୍ଲା ପରିଷଦ ସଦସ୍ୟ ରହିସାରିଥିବା ଅଙ୍ଗଦ ଏବେ ବିଧାୟକ ଅଛନ୍ତି ।

ଅଙ୍ଗଦ କହଁର ଜଣେ ସରଳ, ନିଷ୍କପଟ ଆଦିବାସୀ ମଣିଷ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପକାରୀ ଗାଁରେ ଜନ୍ମିତ ଏହି ଜନନେତା, ନିଜ ପରିବାରକୁ ରାଜନୀତି ଠାରୁ ଦୂରେଇ ରଖିଛନ୍ତି । ପୁଅ ଓ ସ୍ତ୍ରୀଙ୍କୁ ନେଇ ବିଲରେ ଚାଷ କାମ କରିନ୍ତି । ସ୍ୱାମୀ ବିଧାୟକ ହୋଇଥିଲେ ବି ସ୍ତ୍ରୀ ଜମିରେ ମୁଲିଆଙ୍କ ସହ ତଳି ରୁଅନ୍ତି, ଜଙ୍ଗଲକୁ ଯାଇ ପତ୍ର ସଂଗ୍ରହ କରି ଠୋଲ ଓ ଖଲି ପ୍ରସ୍ତୁତ କରନ୍ତି । ମାଟିର ଏହି ମଣିଷଙ୍କୁ ଛୁଇଁ ପାରିନାହିଁ ଆଧୁନିକ ଦୁନିଆର ଚାକଚକ୍ୟ ଚଳଣି । ଆଜି ବି ଜେଜେବାପାଙ୍କ ଅମଳରୁ ଥିବା ମାଟି ଘରେ ରୁହନ୍ତି, ପତ୍ର ଠୋଲାରେ ଖାଆନ୍ତି ।

ଯଦିଓ ବିଧାୟକଙ୍କର ଦୁଇ ମହଲା କୋଠା ଘର ରହିଛି କିନ୍ତୁ ସେଠି ସେ ରୁହନ୍ତି ନାହିଁ । କୋଠା ଘରେ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ପୁଣି ସେହି ମାଟି ଘରକୁ ଚାଲି ଆସନ୍ତି ଅଙ୍ଗଦ କହଁର । ବର୍ତ୍ତମାନ ସମୟରେ ଏଭଳି ଜଣେ ବିଧାୟକ ମିଳିବା ବହୁ କଷ୍ଟ । ଅଙ୍ଗଦ କହଁରଙ୍କ ଏହି ସବୁ ଗୁଣ ଓ ଜୀବନଶୈଳୀ ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ଆଦର୍ଶ ନିଶ୍ଚୟ ।