ଦୁଷ୍କର୍ମକାରୀଙ୍କୁ ମିଳିଲା କଡା ଦଣ୍ଡ । କେନ୍ଦୁଝର ନାବାଳିକା ଗଣଦୁଷ୍କର୍ମ ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ, ୫୦ ହଜାରର ଜରିମାନା ।

941

କନକ ବ୍ୟୁରୋ : ସୈତାନଙ୍କୁ ସଜା । ଦୁଷ୍କର୍ମକାରୀଙ୍କୁ ମିଳିଲା କଡା ଦଣ୍ଡ । କେନ୍ଦୁଝର ନାବାଳିକା ଗଣଦୁଷ୍କର୍ମ ମାମଲାରେ ୬ ଜଣଙ୍କୁ ୨୦ ବର୍ଷ ଲେଖାଏଁ ଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦୁଝର ଏଡିଜେ କୋର୍ଟ । ପୋକ୍ସୋ ଆକ୍ଟ ଅନୁଯାୟୀ ଏହି ସୈତାନଙ୍କ ପାଇଁ ସଜା ଶୁଣାଇଛନ୍ତି କୋର୍ଟ । ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

୨୦୧୫ରେ ବଡବିଲ ଥାନା ଅଞ୍ଚଳରେ ଏକ ଜଙ୍ଗଲ ମଧ୍ୟରେ ନାବାଳିକାଙ୍କୁ ଗଣଦୁଷ୍କର୍ମର ଖବର ସାମ୍ନାକୁ ଆସିଥିଲା । ହାଟରୁ ଫେରିବା ବାଟରେ ନାବାଳିକାଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଯାହା ସଭ୍ୟ ସମାଜର ମୁଣ୍ଡକୁ ନୁଆଇଁ ଦେଇଥିଲା । ତେବେ କୋର୍ଟଙ୍କ ରାୟ ପରେ ଖୁସି ପ୍ରକାଶ କରିଛନ୍ତି ପରିବାର ଲୋକ ।

ଏହାପୂର୍ବରୁ ଜଗତସିଂହପୁରରେ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଅଭିଯୁକ୍ତକୁୁ ଫାଶୀ ଦଣ୍ଡାଦେଶ ହୋଇଛି । ଜଗତସିଂହପୁର ଏଡିଜେ କୋର୍ଟ ମାମଲାର ଶୁଣାଣି କରି ଅଭିଯୁକ୍ତ କାଳିଆକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୮ ମାର୍ଚ୍ଚ ଏରସମାରେ ୯ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ପୂରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଅଭିଯୁକ୍ତ କାଳିଆ ନାବାଳିକା ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା । ଆଉ ଏହାପରେ ନାବାଳିକାଙ୍କ ମରଶରୀରକୁ କାଜୁ ଜଙ୍ଗଲରେ ଫିଙ୍ଗି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ କାଳିଆ । ଆଉ ଏହି ଘଟଣାର ଦେଢ ବର୍ଷ ପରେ ଆଜି ଅଭିଯୁକ୍ତ କାଳିଆକୁ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି କୋର୍ଟ ।