କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ଦୂର ହେବ କେନ୍ଦୁପତ୍ର ତୋଳାଳୀଙ୍କ ଦୁଃଖ । କାରଣ କେନ୍ଦୁପତ୍ର ସଂଗ୍ରହ ମୂଲ୍ୟରେ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଉପକୃତ ହେବେ । ଏହି ନିଷ୍ପତ୍ତି ଅନୁଯାୟୀ ୨୦୨୨ ଫସଲ ବର୍ଷ ପାଇଁ ଉଭୟ ପ୍ରୋସେସ ଅଞ୍ଚଳ ଓ ଫାଲ ଅଂଚଳରେ କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ରେ ବୃଦ୍ଧି କରାଯାଇଛି।
ଏହାଦ୍ଵାରା ରାଜ୍ୟରେ ୭.୫୦ ଲକ୍ଷ ଗରୀବ କେନ୍ଦୁପତ୍ର ତୋଳାଳୀ ୨୪୦ କୋଟି ଟଙ୍କାର ଅଧିକ ରୋଜଗାର ପାଇପାରିବେ. ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଜନଜାତି ମହିଳା । ଏହାସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ବୋନସ ଓ ବିଭିନ୍ନ ଭତ୍ତା ବାବଦରେ ମଧ୍ୟ ୧୨୦ କୋଟି ଟଙ୍କା ମଂଜୁର କରାଯାଇଛି। ଏହାଦ୍ଵାରା ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ଅନ୍ୟାନ୍ୟ କର୍ମଚାରୀ ଉପକୃତ ହେବେ ।
ରାଜ୍ୟ ସରକାର କେନ୍ଦୁପତ୍ର ବ୍ୟବସାୟର ସମସ୍ତ ଲାଭକୁ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ କଲ୍ୟାଣ ପାଇଁ ବିନିଯୋଗ କରୁଛନ୍ତି ।