ବଢିଲା କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍ । କେନ୍ଦୁପତ୍ର ବନ୍ଧାଳି ଓ କର୍ମଚାରୀଙ୍କର ପ୍ରୋତ୍ସାହନ ରାଶି ୨ଗୁଣା ବଢାଇଲେ ରାଜ୍ୟ ସରକାର ।

1,249

କନକ ବ୍ୟୁରୋ: ବଢିଲା କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍ । ବୋନସକୁ ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରାଗଲା । ଏଥିରେ ଉପକୃତ ହେବେ ୮ ଲକ୍ଷ ୫୦ ହଜାର ତୋଳାଳି । ଏଥିପାଇଁ ୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ କନ୍ଦେୁପତ୍ର ବନ୍ଧାଳି ଓ ସିଜନାଲ କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶିକୁ ମଧ୍ୟ ରାଜ୍ୟ ସରକାର ବଢାଇଛନ୍ତି । ଏହାକୁ ୨ ଗୁଣା ବୃଦ୍ଧି କରାଯାଇଛି । ସମ୍ବଲପୁର ଚାରମାଲଠାରେ ଆୟୋଜିତ କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ ଏହା ଘୋଷଣା କରିଛନ୍ତି ଫାଇଭ୍ ଟି ଅଧ୍ୟକ୍ଷ ।

ସମ୍ବଲପୁର ରେଢାଖୋଲ ବ୍ଲକ ଚାରମାଳରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାର କେନ୍ଦୁପତ୍ର ତୋଳାଳି, ବନ୍ଧାଳି, ସିଜନାଲ କର୍ମଚାରୀ ଶ୍ରମିକ ଯୋଗଦେଇଛନ୍ତି । ମହାସମାବେଶରେ ସାମିଲ ହୋଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ । ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ମଧ୍ୟ ଯୋଗଦେଇଛନ୍ତି । ସବୁଜ ହୀରା କେନ୍ଦୁପତ୍ର ରାଜ୍ୟର ୧୫ ଲକ୍ଷରୁ ଅଧିକ ଗରିବ ଲୋକଙ୍କୁ ରୋଜଗାର ଯୋଗାଉଛି । ରାଜ୍ୟର ୩୦ଟି ଜିଲ୍ଲାରୁ ୮ଟିକୁ ଛାଡିଦେଲେ ୨୨ଟି ଜିଲ୍ଲାର ବହୁ ସଂଖ୍ୟକ ଗରିବ ପରିବାର କେନ୍ଦୁପତ୍ର ଉପରେ ନିର୍ଭର କରିଥାନ୍ତି ।
ଅନ୍ୟପଟେ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ନବୀନ ସରକାର ଓଡ଼ିଶାର ଲକ୍ଷ ଲକ୍ଷ ଶ୍ରିମକଙ୍କ ସହ ବିଶ୍ୱାସଘାତକା କରିଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ପଶ୍ଚିମ ଓଡ଼ିଶାକୁ ସରକାର ସବୁବେଳେ ଅଣଦେଖା କରୁଛନ୍ତି । ନିର୍ବାଚନ ଆସିଲେ ସରକାରଙ୍କ କେନ୍ଦୁପତ୍ର ତୋଳାଳିଙ୍କ କଥା ମନେପଡ଼େ ବୋଲି କହିଛନ୍ତି ।