ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ‘ଆମ୍ବ ମଣିଷ’ । କରୋନା ମହାମାରୀ ସମୟରେ ଗାଁକୁ ଫେରି ଲଗାଇଛନ୍ତି ୫୦ ଲକ୍ଷ ଆମ୍ବ ଗଛ

111

କନକ ବ୍ୟୁରୋ: ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ମ୍ୟାଙ୍ଗୋ ମ୍ୟାନ୍ । ସବୁଜ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ନିଜେ ଗଛ ଲଗାଇବା ସହ ଅନ୍ୟମାନଙ୍କୁ ଗଛ ଲଗେଇବାର ବାର୍ତା ଦେଉଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ଅରଡ଼ପଲ୍ଲି ପଞ୍ଚାୟତର ଶୁଭବ୍ରତ ରାୟ ।

କରୋନା ମହାମାରୀ ସମୟରେ ବାହାର ରାଜ୍ୟରେ ରହି କାମ କରୁଥିବା ଶୁଭବ୍ରତ ଗାଁକୁ ଫେରିଥିଲେ । ଆମ୍ବ ଏକ ଅର୍ଥକାରୀ ଫଳ ହୋଇଥିବା ବେଳେ ଆମ୍ବ ଟାକୁଆ ସଂଗ୍ରହ କରି ଗଛ ଲଗାଇବା ଆରମ୍ଭ କଲେ । ପ୍ରଥମେ ପ୍ରଥମେ ଲୋକମାନେ ତାଙ୍କୁ ଉପହାସ କରୁଥିଲେ । ଗଛ ବଡ଼ ହେବ ଆଉ ଫଳ କେବେ ଫଳିବ ବୋଲି କହୁଥିଲେ । କିନ୍ତୁ ବର୍ତମାନ ତାଙ୍କ ବଗିଚାରେ ୫୦ ଲକ୍ଷରୁ ଅଧିକ ଗଛ ହେଲାଣି । ଜିଲ୍ଲା ତଥା ଜିଲ୍ଲା ବାହାର ଲୋକେ ତାଙ୍କ ନିକଟକୁ ଆସି ଆମ୍ବ ଚାରା କିଣିନେଉଛନ୍ତି । ଏଥିରୁ ତାଙ୍କୁ ୫୦ ହଜାର ଟଙ୍କାରୁ ଅଧିକ ଟଙ୍କାର ରୋଜଗାର ମିଳୁଛି ।

ଆମ୍ରପଲ୍ଲି, ବାଇଗଣ ପଲେଇ ଭଳି ବିଭିନ୍ନ ପ୍ରଜାତିର ଗଛ ଲଗାଇଛନ୍ତି ଶୁଭବ୍ରତ । ପାଖାପାଖି ୫ ଏକର ଜମିରେ ସେ ଆମ୍ବ ଚାରା ଲଗାଇଛନ୍ତି । କେବଳ ଏତିକି ନୁହେଁଁ ସେ ପରିବେଶ ସଚେତନତାର ବାର୍ତା ମଧ୍ୟ ଦେଉଛନ୍ତି । ପ୍ରତିବର୍ଷ ୨ଲକ୍ଷ ଚାରା ଗଛ ବିକ୍ରି କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।ତେବେ ବେରୋଜଗାର ସମସ୍ୟା ସମାଜ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ଶୁଭବ୍ରତଙ୍କ ଏଭଳି କାମ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବ ନିଶ୍ଚୟ ।