ଦୁର୍ଘଟଣା ପରେ ଅଚଳ ହୋଇଗଲା ଗୋଡ, ଅଟକିଗଲା ପରିବାର । ରୋଜଗାରିଆ ପୁଅ ବିଛଣାରେ ପଡିବା ପରେ ଟ୍ରଲି ଟାଣି ଘର ଚଳାଉଛନ୍ତି ବୁଢାବାପା ।

711

କନକ ବ୍ୟୁରୋ: ବାପା, ମାଆ, ସ୍ତ୍ରୀ ଓ ଭଉଣୀ । ଏ ସମସ୍ତଙ୍କ ବୋଝ ଦିନେ ଏ ପୁଅ ଉପର କାନ୍ଧ ଉପରେ ଥିଲା । ହେଲେ ଏବେ ଭେଣ୍ଡିଆ ପୁଅର ଭାର ବୋହୁଛନ୍ତି ବୁଢାବାପା । ପରିବାରର ବିନା ସାହାରାରେ ବଞ୍ଚିବା ମୁସ୍କିଲ ହୋଇପଡୁଛି ଘରର ଏକମାତ୍ର ମେରୁଦଣ୍ଡକୁ । ଆଉ ଆଖି ଆଗରେ ପରିବାରର ଏ କଷ୍ଟ ଦେଖି କାନ୍ଦି କାନ୍ଦି ୬ ବର୍ଷ ହେବ ଛଟପଟ ହେଉଛନ୍ତି କେନ୍ଦ୍ରାପଡାର କାର୍ତ୍ତିକ ।

ମାର୍ଶାଘାଇ ବ୍ଲକ ଗରଜଙ୍ଗା ପଞ୍ଚାୟତ ବଡପାଳ ଗାଁର ଏକନ ମଲ୍ଲିକଙ୍କ ପୁଅ କାର୍ତ୍ତି ଆଜିକୁ ୬ ବର୍ଷ ହେବ ଏମିତି ଘରେ ପଡି ରହିଛନ୍ତି । ଟ୍ରକରେ ହେଲପର ଭାବେ କାମ କରି ପରିବାରର ୫ ଜଣଙ୍କ ପେଟରେ ଦାନା ଦେଉଥିଲେ । ହେଲେ ହଠାତ ଏକ ଦୁର୍ଘଟଣାରେ ଶିକାର ହେଲେ କାର୍ତ୍ତିକ । ଭୟଙ୍କର ଦୁର୍ଘଟଣାରେ ତାଙ୍କ ଅଣ୍ଟା ତଳକୁ ଆଘାତ ଲାଗିବାରୁ ଡାହାଣ ଗୋଡ ସବୁଦିନ ପାଇଁ ଅଚଳ ହୋଇଗଲା ।

ଚିକିତ୍ସା ପାଇଁ ମେଡିକାଲରେ ଦେଖାଇଥିଲେ ବି ଅପରେସନ ପାଇଁଲକ୍ଷ ଲକ୍ଷ ଟଙ୍କା ଲୋଡା ହେଉଥିବାରୁ ଘରକୁ ଫେରାଇ ଆଣି ସେବେଠାରୁ ଘରେ ରହିଛନ୍ି କାର୍ତ୍ତିକ ।ତେବେ ପୁଅର ଏମିତି ଅବସ୍ଥା ପରେ ବଳ ନଥିବା ବୟସରେ ଘରର ଭାର ବୋହୁଛନ୍ତି ବୁଢାବାପା । ଟ୍ରଲି ଟାଣି ଯାହା ଦି ପଇସା ହୁଏ ସେଥିରେ ପୁଅର ଔଷଧ ଆସେ । ଆଉ ବାକି ରହିଲେ ଘରର ଚୁଲି ଲାଗେ ନହେଲେ ନାହିଁ । ଉପାସ ରହିବା ଏମାନଙ୍କ ଅଭ୍ୟାସ ହୋଇଗଲା ।

ସେପଟେ ପରିବାରର ପୁଅ ଘରେ ପଡି ରହିଥିବା ବେଳେ ବୋଝ ଉପରେ ନଳିତା ବିଡା ପରି ଝିଅ ବି ଦିବ୍ୟାଙ୍ଗ । ଢିହବାଡି କିଛି ନଥିବାରୁ ଏବେ ଗାଁ ଛାଡି ଚଣ୍ଡିଖୋଲ-ପାରାଦୀପ ଏନଏଚ କଡରେ ରହିଛନ୍ତି । ନିଜ ଆଖି ଆଗରେ ଘରର ଏସବୁ ଦୁଃଖ ଦେଖି ଲୁହ ଗଡାଇବା ଛଡା ଆଉ କିଛି କରିପାରୁ ନାହାନ୍ତି କାର୍ତ୍ତିକ । ତେବେ ଅସହାୟ ପରିବାରର ଏ କରୁଣ କାହାଣୀ ଦେଖି ଜିଲ୍ଲା ପ୍ରଶାସନ କିମ୍ବା ଜନପ୍ରତିନିଧି ସାହାଯ୍ୟ କରିବାକୁ ଆଗେଇ ଯିବେ ନା ଖବର ଦେଖି ଆଖି ବୁଜିଦେବେ ?