କନକ ବ୍ୟୁରୋ : ଫୋନରେ ତଲାକ୍ କହି ଛାଡ଼ପତ୍ର । ସାଇବର ଠକେଇର ଶିକାର ହେବାରୁ ମହିଳାଙ୍କୁ ନିର୍ଯାତନା । ତାଙ୍କ ସ୍ୱାମୀ ତାଙ୍କୁ ଫୋନ୍ କରି ତିନି ଥର ତଲାକ୍ କହି ଛାଡ଼ପତ୍ର ଦେଇଛନ୍ତି । ଘଟଣା ଘଟିଛି କେନ୍ଦ୍ରାପଡ଼ା କୁଶିଆପାଳ ପଞ୍ଚାୟତରେ । ଏନେଇ ମହିଳା ଜଣଙ୍କ ସଦର ଥାନାରେ ଲିଖିତ ଏତଲା ଦେଇଛନ୍ତି । କିଛି ଦିନ ତଳେ ମହିଳା ଜଣଙ୍କ ସୋସିଆଲ ମିଡିଆ ଜରିଆରେ ଦେଢ ଲକ୍ଷ ଟଙ୍କାର ଅନ୍ ଲାଇନ୍ ଠକେଇର ଶିକାର ହୋଇଥିଲେ ।

Advertisment

ସୋସିଆଲ ମିଡିଆରେ ତାଙ୍କର ଜଣେ ଅଜଣା ଲୋକଙ୍କ ସହ ପରିଚୟ ହୋଇଥିଲା । ବ୍ୟକ୍ତି ଜଣଙ୍କ ତାଙ୍କ ସହ ସମ୍ପର୍କ ବଢାଇ ଅଧିକ ନିବିଡ଼ ହୋଇଥିଲେ । ପରେ ତାଙ୍କୁ ୨୫ ଲକ୍ଷ ଟଙ୍କାର ଉପହାର ଦେବେ ବୋଲି କହିଥିଲେ । ଏଥିପାଇଁ ତାଙ୍କୁ ସର୍ଭିସ୍ ଚାର୍ଜ ବାବଦକୁ ଆଗୁଆ ଦେଢ ଲକ୍ଷ ଟଙ୍କା ମାଗିଥିଲେ । ଏଥିରେ ବିଶ୍ୱାସ କରି ମହିଳା ଜଣଙ୍କ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଫୋନ୍ ପେ’ ଜରିଆରେ ଦେଢ ଲକ୍ଷ ଟଙ୍କା ଦେଇଥିଲେ ।

ଏହା ପରେ ସେ ଜାଣିବାକୁ ପାଇଥିଲେ ଯେ, ସେ ସାଇବର ଠକେଇର ଶିକାର ହୋଇଛନ୍ତି । ଗୁଜରାଟରେ ରହୁଥିବା ତାଙ୍କ ସ୍ୱାମୀ ଶେଖ୍ ରାଜୀବ ଏ ସମ୍ପର୍କରେ ଜାଣିବା ପରେ ସ୍ତ୍ରୀଙ୍କ ଉପରେ ରାଗି ଯାଇଥିଲେ । ତାଙ୍କର କଷ୍ଟ ଉପାର୍ଜିତ ଅର୍ଥ ଉଡାଇ ଦେଇଥିବାରୁ ସେ ଖପ୍ପା ଥିଲେ । ଆଉ ଫୋନ୍ କରି ତିନି ଥର ତଲାକ୍ କହି ଛାଡପତ୍ର ଦେଇଥିଲେ ।