କେନ୍ଦ୍ରାପଡା ଜିଲ୍ଲା ବଙ୍ଗାଳପୁର ପଂଚାୟତରରେ ପାଣି ପାଇଁ ଅସନ୍ତୋଷ : ବିଦ୍ୟୁତ୍ ବିଲ୍ ବାକି ଥିବାରୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରେ ବିଦ୍ୟୁତ ସଂଯୋଗ କାଟିଲା ବିଭାଗ

56

କନକ ବ୍ୟୁରୋ : ବିଦ୍ୟୁତ୍ ବିଲ୍ ବାକି ଥିବାରୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରେ ବିଦ୍ୟୁତ ସଂଯୋଗ କାଟିଲା ବିଦ୍ୟୁତ ବିଭାଗ । ପାଣି ପାଇଁ ଡହଳ ବିକଳ କେନ୍ଦ୍ରାପଡା ଜିଲ୍ଲା ବଙ୍ଗାଳପୁର ପଂଚାୟତର ୪ ଟି ଗାଁର ହଜାର ହଜାର ଲୋକେ । ଖରାଦିନରେ ପିଇବାକୁ ପାଣି ମୁନ୍ଦେ ନପାଇବାରୁ, ବିଦ୍ୟୁତ ବିଭାଗର ଏଭଳି କାର୍ଯ୍ୟକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ ।

ଖରାଦିନରେ ଲୋକଙ୍କ ଜଳକଷ୍ଟ ଦୂର କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ହେଲେ, ଗରଦପୁର ବ୍ଲକର ବଙ୍ଗାଳପୁର ପଂଚାୟତାରେ ଦେଖିବାକୁ ମିଳିଛି ଅଜବ ସ୍ଥିତି । ବିଜୁଳି୍ ବିଲ୍ ବାକି ଥିବାରୁ ଚଁପୁର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ବିଦ୍ୟୁତ୍ ସଂଯୋଗ କାଟି ଦେଇଛି ବିଭାଗ । ଫଳରେ ବନ୍ଦ ହୋଇଯାଇଛି ଜଳ ଯୋଗାଣ । ପାଣି ପାଇଁ ଡହଳବିକଳ ହେଉଛନ୍ତି ହଜାର ହଜାର ଲୋକ ।

ଏହି ପ୍ରକଳ୍ପ ଯୋଗାଉଥିବା ପାଣି ଉପରେ ଚଁପୁର , ବନ୍ଧସାହି , ଘୋଡାଦାଣ୍ଡ ଏବଂ ହୁରାସାହିର ପ୍ରାୟ ୪ ହଜାର ଲୋକ ନିର୍ଭର କରିଥାନ୍ତି । ୨୦୧୮ – ୧୯ ମସିହାରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ । ସେଥପାଇଁ ଏହା ପଂଚାୟତରାଜ ଓ ପାନିୟ ଜଳ ଯୋଗାଣ ବିଭାଗକୁ ହସ୍ତାନ୍ତର ହୋଇପାରି ନାହିଁ । ଆଉ ଆସୁଥିବା ବିଦ୍ୟୁତ୍ ବିଲ ମଧ୍ୟ ପଇଠ ହୋଇନଥିବା ଜଣାପଡିଛି । ପାନୀୟ ଜଳ ଯୋଗାଣ ବନ୍ଦ ହେବା ପରେ ଲୋକଙ୍କ ଭିତରେ ବଢ଼ୁଛି ଅସନ୍ତୋଷ । ଏପରିକି ଆନ୍ଦୋଳନକୁ ଓହ୍ଲାଇବାକୁ ଗ୍ରାମବାସୀ ସଜବାଜ ହେଉଥିବା ଜଣାପଡିଛି ।