ଇଚ୍ଛା ଶକ୍ତି ଆଗରେ ସବୁ ସମ୍ଭବ । ଉଦାହରଣ ସୃଷ୍ଟି କଲେ କେନ୍ଦ୍ରାପଡା ଓସ୍ତଆ ଗାଁର ମହିଳା ସମିତି । ମୁଢି ପ୍ରସ୍ତୁତ କରି ବାର୍ଷିକ ଆୟ କରୁଛନ୍ତି ୮୦ ଲକ୍ଷ

270

କନକ ବ୍ୟୁରୋ : କଠିନ ପରିଶ୍ରମ ଓ ଇଚ୍ଛା ଶକ୍ତିି ବଳରେ ଅସମ୍ଭବ ସମ୍ଭବ ହୋଇଥାଏ । ଏହି ଉକ୍ତିକୁ ପ୍ରମାଣ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଳକର ଓସ୍ତଆ ଗାଁର ମହିଳାମାନେ । ମୁଢ଼ି ପ୍ରସ୍ତୁତ ରାଜ୍ୟର ବିଭିନ୍ନ ଅଂଚଳକୁ ପଠାଇ ବାର୍ଷିକ ପ୍ରାୟ ୮୦ ଲକ୍ଷ ଟଙ୍କା କାରବାର କରି ପାରିଛନ୍ତି । ସୃଷ୍ଟି ଉତ୍ପାଦକ ଗ୍ରୁପ ଗଠନ କରି ସ୍ୱାବଲମ୍ବୀ ହୋଇ ପାରଛନ୍ତି ୩୦ ଜଣ ମହିଳା ।

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ଓସ୍ତଆ ଗାଁର ୩୦ ଜଣ ମହିଳା ସୃଷ୍ଟି ଉତ୍ପାଦକ ଗ୍ରୁପ ଗଠନ କରି ଏପରି କିଛି କରି ଦେଖାଇଛନ୍ତି, ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ଦୁଇ ବର୍ଷ ତଳେ ମିସନ ଶକ୍ତି ମାଧ୍ୟମରେ ଅଳ୍ପ କିଛି ଟଙ୍କା ଋଣ ଆଣି ମେସିନ୍ ସାହାଯ୍ୟରେ ମୁଢ଼ି ପ୍ରସ୍ତୁତ କରିଥିଲେ ମହିଳାମାନେ । କଠିନ ପରିଶ୍ରମ କରି ଖୁବ କମ୍ ଦିନ ମଧ୍ୟରେ ସେମାନଙ୍କ ଉତ୍ପାଦନ ବଢ଼ିଥିଲା । ଆଉ ଏବେ ଏହି ମହିଳାମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ପ୍ରତିଦିନ ଘର କାମ ସାରି ମୁଢି ପ୍ରସ୍ତୁତି ପାଇଁ ଆସିଥାନ୍ତି ଗ୍ରୁପର ମହିଳାମାନେ । ଦିନକୁ ପ୍ରାୟ ୩ ଘଂଟା କାମ ସାରି ମହିଳାମାନେ ଘରକୁ ଫେରିଥାନ୍ତି । ମେସିନ ସାହାଯ୍ୟରେ ମୁଢି ପ୍ରସ୍ତୁତ କରିବା ପରେ ତାକୁ ପ୍ୟାକିଙ୍ଗ କରି ଭଦ୍ରକ, କେନ୍ଦ୍ରାପଡା, ଯାଜପୁର ଆଦି ଜିଲ୍ଲାକୁ ବିକ୍ରି ପାଇଁ ପଠାଇଥାନ୍ତି । ଏବେ ଏହି ଗ୍ରୁପର ବାର୍ଷିକ କାରବାର ପ୍ରାୟ ୭୦ରୁ ୮୦ ଲକ୍ଷ ଟଙ୍କା ।

ମୁଢ଼ି ପ୍ରସ୍ତୁତ କରି ବିକ୍ରି କରିବା ଦିନ ଠାରୁ ଏହି ମହିଳାମାନେ ସେମାନଙ୍କ ପରିବାର ପ୍ରତିପୋଷଣରେ ହାତ ବଢ଼ାଇଛନ୍ତି । ଆଉ ସେମାନଙ୍କ ଅଭାବ ଅସୁବିଧା ଦୂର ହୋଇଛି ।

ଗ୍ରୁପର ପ୍ରତ୍ୟେକ ମାସିକ ପ୍ରାୟ ୫ରୁ ୬ହଜାର ଟଙ୍କା ରୋଜଗାର କାରିପାରୁଛନ୍ତି । ଯଦି ସରକାରଙ୍କ ତରଫରୁ ଆଉ କିଛି ସାହାଯ୍ୟ ମିଳନ୍ତା, ତାହାଲେ ଆହୁରି ଆଗକୁ ବଢ଼ିପାରନ୍ତେ ବୋଲି କହିଛନ୍ତି ସ୍ୱଂୟ ସହାୟିକାର ଗୋଷ୍ଠୀର ମହିଳାମାନେ ।