ବିଜେଡି ଛାଡ଼ିପାରନ୍ତି ସାଂସଦ ଅନୁଭବ ମହାନ୍ତି । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ବିଜେପିରେ ସାମିଲ ହୋଇପାରନ୍ତି କେନ୍ଦ୍ରାପଡ଼ା ସାଂସଦ 

2,236

କନକ ବ୍ୟୁରୋ: ଭର୍ତ୍ତୃହରି ମହତାବଙ୍କ ପରେ ବିଜେଡିର ଆଉ ଜଣେ ବଡ଼ ଚେହେରା ଦଳ ଛାଡ଼ିବାକୁ ଯାଉଛନ୍ତି । କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, ବିଜେଡି ଛାଡ଼ିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଦଳ ଛାଡ଼ିବା ନେଇ ଯଦିଓ ଅନୁଭବଙ୍କ ତରଫରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ, କିନ୍ତୁ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏନେଇ ଜୋରଦାର ଚର୍ଚ୍ଚା ।

ବିଜେଡି ଛାଡ଼ିବା ପରେ ବିଜେପିରେ ଯୋଗଦେଇପାରନ୍ତି ଅନୁଭବ । ୨୦୧୯ରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଲଢ଼ିଥିବା ଅନୁଭବ ଗତ କିଛି ବର୍ଷ ଧରି ରାଜନୀତିରେ ସେତେଟା ସକ୍ରିୟ ରହୁନଥିବା ଦେଖିବାକୁ ମିଳିଛି । ବିଶେଷକରି ପାରିବାରିକ କଳହ ଯୋଗୁଁ ନିଜ ନିର୍ବାଚନମଣ୍ଡଳୀରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳେ ନାହିଁ । ଏମିତିକି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବାର ନଜିର ଆସିନାହିଁ । ତେବେ ଅନୁଭବ ମହାନ୍ତି ବିଜେପିରେ ଯୋଗଦେବା ନେଇ ଗତ କିଛି ଦିନ ହେବ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଆସୁଛି ।

ନିକଟରେ ମଧ୍ୟ ସେ ତାଙ୍କ ସୋସିଆଲ ମିଡିଆ ପେଜରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ଆଗାମୀ ଦିନରେ ନିଜ କଣ୍ଠରେ ହନୁମାନ ଚାଳିଷା ଗାଉଥିବାର ଦେଖିବାକୁ ମିଳିବ । କିଛି ଦିନ ତଳେ ବିଜେଡି ଛାଡ଼ିଥିଲେ ଭର୍ତ୍ତୃହରି ମହତାବ । ଆଗାମୀ ଦିନରେ ସେ ମଧ୍ୟ ବିଜେପିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଯଦି ଅନୁଭବ ଓ ଭର୍ତ୍ତୃହରି ବିଜେପିରେ ସାମିଲ ହୁଅନ୍ତି, ତାହେଲେ ଦୁହେଁ କେଉଁ ଆସନରୁ ଲଢ଼ିବେ, ତାକୁ ନେଇ ଚର୍ଚ୍ଚା ।