ଆଉ ଘର ଘର ବୁଲି ଭିକ ମାଗିବନି କଅଁଳ କଢି । ଭିକ୍ଷା ବ୍ୟାଗ୍ ଛାଡିବ, ସ୍କୁଲ ବ୍ୟାଗ୍ ଧରିବ… ପରିବାର ପେଟ ପୋଷିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା କୁନି ପୁଅର ସଙ୍ଘର୍ଷରେ ପଡିଲା ପୂର୍ଣ୍ଣଚ୍ଛେଦ । ସହାୟତାର ହାତ ବଢାଇଲେ ବିଧାୟକ ଶଶିଭୂଷଣ ବେହେରା । ରୋଗୀଣା ମାଆର ଚିକିତ୍ସା ସହ କୁନି ପୁଅର ବୁଝିବେ ପଢା ଖର୍ଚ୍ଚ…

973

କନକ ବ୍ୟୁରୋ: ଆଉ ଘର ଘର ବୁଲି ଭିକ ମାଗିବାକୁ ପଡିବନି । କାନ୍ଧରେ ବହି ବସ୍ତାନୀ ବଦଳରେ ପ୍ଲାଷ୍ଟିକ ବ୍ୟାଗ ଧରି ମାଆ ଗଣ୍ଡେ ଭିକ ଦିଅ, ବାବୁ ଗଣ୍ଡେ ଖାଇବାକୁ ମିଳିବ ବୋଲି କହିବାକୁ ପଡିବନି କି ଖାତା କଲମ ଧରା ବୟସରେ ଦୁଆର ଦୁଆର ବୁଲି ଆଉ ହାତ ପାତିବାକୁ ପଡିବନି । କାରଣ କୁନି ପୁଅର ପ୍ରାଣମୂର୍ଚ୍ଛା ସଂଘର୍ଷରେ ପୂର୍ଣ୍ଣଚ୍ଛେଦ ଟାଣିଛି ପ୍ରଶାସନ, ସାହାଯ୍ୟ ପାଇଁ ହାତ ବଢାଇଛନ୍ତି ବିଧାୟକ । ପରିବାରର ପେଟରେ ଦାନା ଦେବାକୁ କଅଁଳ କାନ୍ଧରେ ବୋଝ ବୋହୁଥିବା ୭ ବର୍ଷର ଏ କୁନି ପିଲାର ସଙ୍ଘର୍ଷମୟ କାହାଣୀ କନକ ନ୍ୟୁଜରେ ପ୍ରସାରଣ ହେବା ପରେ ସହାୟତା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ସହ ଖୋଦ୍ ବିଧାୟକ ତାଙ୍କ ଘରେ ପହଞ୍ଚିଛନ୍ତି । ଆଉ ସବୁ ସୁବିଧା କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

କେନ୍ଦ୍ରାପଡା ଜିଲ୍ଲା ଧୁମାତ ପଞ୍ଚାୟତର ସବିତା ଦାସ କିଡନି ରୋଗରେ ଆକ୍ରାନ୍ତ ହୋଇ ଘରେ ପଡିଥିବାରୁ ଘରର ସବୁ ଦାୟିତ୍ୱ ଏଇ କୁନି ପୁଅ ଉପରେ ଥିଲା । କାରଣ ସ୍ୱାମୀ ଦିବ୍ୟାଙ୍ଗ ଥିବାରୁ ଘର ଚଳାଇ ନପାରି ମାନସିକ ଭାରସାମ୍ୟ ହରାଇ ୯ ବର୍ଷ ତଳେ ଆତ୍ମହତ୍ୟା କରିଥିଲେ । ସେବେଠାରୁ ମାଆ, ଭଉଣୀ ଓ ଗୋଟିଏ ଭାଇର ଦାୟିତ୍ୱ ନିଜ ମୁଣ୍ଡରେ ମୁଣ୍ଡାଇ ଘର ଘର ବୁଲି ଭିକ ମାଗୁଛି ୭ ବର୍ଷର ଏ କଅଁଳ କଢି । ମାଆର ଔଷଧ ଖର୍ଚ୍ଚ ସହ ଘରର ଚୁଳି ଜଳେଇବାକୁ ପରର ହାତ ପତାକୁ ଚାହିଁ ରହି ସକାଳ ହେବା କ୍ଷଣି ଭିକ ମାଗିବାକୁ ବାହାରିଯାଉଛି । ଭିକ ଆଣିଲେ ଭାତହାଣ୍ଡି ବସୁଛି, ଭୋକ ମରୁଛି । ଭୋକ-ଭିକର ଭିଡରୁ ମୁକୁଳିଲେ ତ ପାଠ ପଢା ହେବ । ନହେଲେ ପାଠ କିଏ ଏ ପୁଅ କିଏ । ଇଚ୍ଛା ଥିଲେ ବି ଦାରିଦ୍ରତାର ଦାରୁଣ ପାଦରେ ଦଳି ମକଚି ଯାଏ ସବୁ ସ୍ୱପ୍ନ ।

ହେଲେ ପରିବାର ପାଇଁ କୁନି ପୁଅର ଏଭଳି ସଂଘର୍ଷ ଦେଖି ଆଗେଇ ଆସିଛନ୍ତି ସରକାର । ବିଧାୟକ ଶଶିଭୂଷଣ ବେହେରା ସବିତାଙ୍କ ଘରେ ପହଞ୍ଚି ୧୦ ହଜାର ଟଙ୍କା ଦେଇଥିବା ବେଳେ ଜିଲ୍ଲାପାଳଙ୍କ ଜରିଆରେ ସବୁ ସୁବିଧା କରିଦେବେ । ତା ସହ କୁନି ପୁଅର ପାଠ ପଢାର ସମ୍ପୂର୍ଣ୍ଣ ଦାୟିତ୍ୱ ନିଜେ ବହନ କରିବେ ବୋଲି କହିଛନ୍ତି । ଆଉ ରୋଗୀଣା ମାଆର ଚିକିତ୍ସା କରିବାକୁ ବି କଥା ଦେଇଛନ୍ତି ।

ସେପଟେ ସାହାଯ୍ୟ ପାଇବା ପରେ କୁନି ଝିଅଟି ସମସ୍ତଙ୍କୁ ଧନ୍ୟବାଦ ଦେଇଛି । ଆଉ ମାଆର ଦେହ ଭଲ କରିଦେବାକୁ କାନ୍ଦି କାନ୍ଦି ନେହୁରା ହୋଇଛି ।

ତେବେ ଭିକ୍ଷା ବ୍ୟାଗରୁ ପାଠ ବ୍ୟାଗ ଧରାଇବାକୁ ବିଧାୟକ ଅଭୟବାଣୀ ଦେବା ସହ ଅନେକ ସହୃଦୟ ବ୍ୟକ୍ତି ମଧ୍ୟ କୁନି ପିଲାର ଉଜ୍ଜ୍ୱଳ ଭବିଷ୍ୟତ ଆଉ ଉଜୁଡା ପରିବାରକୁ ସଜାଡିବାକୁ ସାହାଯ୍ୟର କୁଟାକାଠି ନେଇ ଧାଇଁ ଆସୁଛନ୍ତି । ଆପଣ ବି ଚାହିଁଲେ ଏ ଅସହାୟ ପରିବାରକୁ ସାହାଯ୍ୟ କରି ନିଜ ମାନବିକାତର ପରିଚୟ ଦେବା ସହ କୁନି ପୁଅ ମୁହଁରେ ହସ ଫୁଟାଇ ପାରନ୍ତେ ।