ବିଧାତା ଖେଳିଲା ବିଚିତ୍ର ଖେଳ, ବିଛଣାରେ ପରିବାରର ମେରୁଦଣ୍ଡ । ଶଯ୍ୟାଶାୟୀ ସୀତାରାମଙ୍କ ଦୁଃଖ ଶୁଣ ସରକାର…

310

କନକ ବ୍ୟୁରୋ: ଡିବିରି ଆଲୁଅ ଶୀଖାରେ ସିନା ଏ ଘରର ଅନ୍ଧାର ଉଭେଇ ଯିବ ହେଲେ ଏ ପରିବାରର ଅନ୍ଧାର, ପିଲାଙ୍କ ଭବିଷ୍ୟତ ଉପରେ ଘୋଡିଆସୁଥିବା ଅନ୍ଧାର କେମିତି ଦୂର ହେବ ? ଆଜି ପିଲା ଛୋଟ ଅଛନ୍ତି କାଲି ବଡ ହେବେ । କଣ ପଢିବେ, କେମିତି ଚଳିବେ… ମୁଁ ତ ଅଭାବର ଅନ୍ଧାରରେ ଅଣ୍ଡାଳି ହେଉଛି । ସେମାନଙ୍କ ଜୀବନ ବି ଅନ୍ଧାର ହୋଇଯିବ, ଭବିଷ୍ୟତ ଭାରାକ୍ରାନ୍ତ ହୋଇଯିବ । ଧିକ ଏ ଜୀବନକୁ, ଧି ମୋ ବାପପଣିଆକୁ… ପିଲାଙ୍କ କଥା ଭାବି କାନ୍ଥକୁ ଆଉଜି କିଛି ଏମିତି ଭାବୁ ଥାଇପାରନ୍ତି ଏ ଅଭାବୀ ବାପା ଜଣଙ୍କ । ଭାବିବେନି ବା କେମିତି ଭଗବାନ ପରା ତାଙ୍କୁ ଅକାମୀ କରିଦେଇଛନ୍ତି, ଅଚଳ କରିଦେଇଛନ୍ତି । ଦେହରେ ଜୁ ଥିଲେ ତ ଜୀବନକୁ ନେଇ ସ୍ୱପ୍ନଟିଏ ଦେଖନ୍ତେ । ଏବେ ସ୍ୱପ୍ନ ଦେଖିବା ମନା ।

ସୀତାରାମ ମଲ୍ଲିକ । ବୟସ ମାତ୍ର ୩୫ । ଘର କେନ୍ଦ୍ରାପଡା ଘାଗରା ଗାଁ । ଗୋଟିଏ ସ୍ତ୍ରୀ ଓ ଦୁଇ କୁନି କୁନି ପିଲାଙ୍କୁ ନେଇ ସୀତାରାମଙ୍କ ସଂସାର । ମୁଲ ମଜୁରୀ ଲାଗି ୪ ଜଣଙ୍କ ପେଟକୁ ଦାନା ଦେଇ ଦିଅନ୍ତି ସେ । ଘର ପାଇଁ ନହେଲା ନାହିଁ ପେଟ ପାଇଁ ହୋଇଯାଏ । ହେଲେ ଗତ ୮ ବର୍ଷ ହେବ ଆଣ୍ଠୁଗଣ୍ଠି ରୋଗରେ ପୀଡିତ ସୀତାରାମ । ସେହି କଷ୍ଟ ଭିତରେ ବି ପରିବାର ପୋଷୁଥିଲେ ସେ । ମାତ୍ର ଏଇ ୪ ମାସ ହେବ ହଠାତ ତାଙ୍କ ହାତଗୋଡ ବଙ୍କା ହୋଇଗଲା, ଦେହରୁ ବଳ ହଟିଗଲା । ଘର ଚଳେଇବା ତ ଦୂରର କଥା ନିଜେ ଚାଲିବାକୁ ବି ବଳ ପାଇଲାନି ।

ଘରର ଆର୍ଥିକ ଅନଟନ ଭିତରେ ମାଗିଜାଚି କଟକ ମେଡିକାଲ ଦେଖାଇଥିଲେ ବି କୌଣସି ସୁଫଳ ମିଳୁନି । ତେଣୁ ଭାଗ୍ୟକୁ ନିନ୍ଦି ନିନ୍ଦି ଏଇ ଭଙ୍ଗାଘରେ ପ୍ରତି ମୁହୂର୍ତ୍ତରେ ସଙ୍ଘର୍ଷ କରୁଛନ୍ତି ସୀତାରାମ । ସେପଟେ ରୋଗୀଣା ସ୍ୱାମୀଙ୍କ ସେବା କରି କରି ନିଜେ ରୋଗୀ ପାଲଟିଗଲେଣି ସୀତାରାମଙ୍କ ସ୍ତ୍ରୀ । ନାରିଟିଏ ହାତରେ ବା ବଳ କେଉଁଠୁ ଆସିବ ନିଇତି ଏତେ ସବୁ ବୋଝ ବୋହିବାକୁ । ତେଣୁ କଷ୍ଟର କାହାଣୀ କହିବା ବେଳେ କାନ୍ଦି ପକାଉଛନ୍ତି ସୂର୍ଯ୍ୟକାନ୍ତି ।

ବାପା ରୋଗ ବିଛଣାରେ ପଡିଛନ୍ତି ବୋଲି ମାଆର କଷ୍ଟକୁ ହାଲକା କରିବାକୁ ହାତ ବଢେଇଛି ଏ କୁନି ପୁଅ । ବାପାଙ୍କ ଗୋଡ ଘଷି ଦେବା ଠାରୁ ପାଣି ପିଆଇବା ଯାଏଁ ତା ଟିକି ହାତରେ ବାପାଙ୍କର ସବୁ କାମ କରୁଛି ଏ ପୁଅ । ସେପଟେ ନୁଆଁଣିଆଁ ଚାଳଘରକୁ, କବାଟ ନଥିବା ଘର, କି ଖରା କି ବର୍ଷା, ଗରିବ ବୋଲି କଷ୍ଟରେ ଏ ଭଙ୍ଗାଘରେ ଭୟରେ ବାଧ୍ୟରେ ରହୁଛନ୍ତି ସମସ୍ତେ ।

ଦୁନିଆର ଅନେକ ଲୋକ ଦୁଃଖୀ, ଅନେକ ଲୋକ ବି ଗରିବ । ସମସ୍ତଙ୍କୁ ସାହାଯ୍ୟ କରିବା ବି ସମ୍ଭବ ନୁହେଁ କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଗରିବଙ୍କ ଦୁଃଖ ଦେଖି ସାହାଯ୍ୟ କରିବାକୁ ଧାଇଁ ଯାଆନ୍ତି । ତେଣୁ ସରକାର ହୁଅନ୍ତୁ କି ସହୃଦୟ ବ୍ୟକ୍ତି ଯଦି ଏ ଅସହାୟ ସୀତାରାମଙ୍କୁ ସାହାଯ୍ୟ କରନ୍ତେ ତେବେ ବିଚରା ନିଜ ପୁଅମାନଙ୍କ ଭବିଷ୍ୟତକୁ ସଜାଡି ପାରନ୍ତେ…