ପଟାମୁଣ୍ଡାଇ ପେଟ୍ରୋଲ ପମ୍ପରେ କଙ୍ଗାରୁ କୋର୍ଟ ଘଟଣା : ପୁଲିସର କାର୍ଯ୍ୟାନୁଷ୍ଠାନ, ଦୁଇ ସରପଞ୍ଚଙ୍କ ସହ ୬ ଗିରଫ

91

କନକ ବ୍ୟୁରୋ : କେନ୍ଦ୍ରାପଡା ପଟାମୁଣ୍ଡାଇ ପେଟ୍ରୋଲ ପମ୍ପରେ କଙ୍ଗାରୁ କୋର୍ଟ ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନ । ୨ ସରପଂଚଙ୍କ ସମେତ ପେଟ୍ରୋଲ ପମ୍ପ ମାଲିକ ଓ ତାଙ୍କ ପୁଅକୁ ଗିରଫ କରିଛି ପୁଲିସ । ପଟ୍ଟାମୁଣ୍ଡାଇ ସାହୁପଡା ପେଟ୍ରୋଲ ପମ୍ପ ମାଲିକ ଅଶୋକ ପତି କଙ୍ଗାରୁ କୋର୍ଟରେ ତାଙ୍କ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀଙ୍କୁ ମାଡ ମାରିଥିଲେ । ବରିପାଳ ସରପଂଚ ପଂଚାନନ ସ୍ୱାଇଁ ଓ ବିଜୟନର ପଂଚାୟତର ସରପଂଚ ସୋମନାଥ ତ୍ରିପାଠୀଙ୍କ ଉପସ୍ଥିତିରେ ଏଭଳି ଘଟଣା ଘଟିଥିଲା । ସେହି ସମୟର ଭିଡିଓ ଭାଇରାଲ ହେବା ପରେ ସେମାନଙ୍କ ଗିରଫ ଦାବି କରି  ରାସ୍ତାକୁ ଓହ୍ଲାଇଥିଲେ ଶତାଧିକ ମହିଳା । ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରିଥିଲେ । କେନ୍ଦ୍ରାପଡାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ଏହି ଘଟଣାରେ ୪ ଜଣଙ୍କୁ  ଗିରଫ କରିଛି ।

କଙ୍ଗାରୁ କୋର୍ଟ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସମଗ୍ର ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବଡ଼ପଡା ସାହୁପଡା ରାସ୍ତାରେ ଥିବା ମହାଦେବ ଫିଲିଂ ଷ୍ଟେସନ ପେଟ୍ରୋଲ ପମ୍ପରୁ ୧ ଲକ୍ଷ ୯୭ ହଜାର ଟଙ୍କା ଚୋରି ଘଟଣାକୁ ନେଇ ପେଟ୍ରୋଲ ପମ୍ପର ମାଲିକ ଅଶୋକ ପତିଙ୍କ ଘରେ ଗତ ୧୧ ତାରିଖ ଦିନ ଏହି କଙ୍ଗାରୁ କୋର୍ଟ ବସିଥିଲା । କଙ୍ଗାରୁ କୋର୍ଟରେ ବଡ଼ମୋହନପୁର ସରପଞ୍ଚ ରବୀନ୍ଦ୍ର ବେହେରା, ବଳିପାଳ ସରପଞ୍ଚ ପଞ୍ଚାନନ ସ୍ୱାଇଁ, ବିଜୟନଗର ସରପଞ୍ଚ ସୋମନାଥ ତ୍ରିପାଠୀ, ବଳିପାଳ ସମିତି ସଭ୍ୟାଙ୍କ ସ୍ୱାମୀ ତାପସ କୁମାର ପ୍ରଧାନଙ୍କ ସହିତ ପେଟ୍ରୋଲ ପମ୍ପର ଦୁଇ ମାଲିକ, କର୍ମଚାରୀ ଓ ସେମାନଙ୍କ ସମ୍ପର୍କୀୟ ଉପସ୍ଥିତ ରହି ବିଜୟନଗର ଗାଁର ଗଙ୍ଗାଧର ନାଥ ଓ ତାଙ୍କ ପୁଅକୁ ନିସ୍ତୁକ ମାଡ଼ ମାରିଥିଲେ ।

ବୁଧବାର ଦିନ ସାହୁପଡା, ବଡ଼ପଡା, କାଠିଆପଡା, ତିଗିରିଆ, ଅରଡ଼ପଲ୍ଲୀ ଆଦି ଗାଁର ଶତାଧିକ ଲୋକ ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚି ହୋହଲ୍ଲା କରିଥିଲେ । ପେଟ୍ରୋଲ ପମ୍ପ ଉପରକୁ ଢେଲା ମାଡ଼ କରିବା ସହ ସିସି କ୍ୟାମେରା ଭାଙ୍ଗି ଦେଇଥିଲେ । ଅପରପକ୍ଷରେ ଏହି ଘଟଣାର ଭିଡିଓ ଦେଖିବା ପରେ ପଟ୍ଟାମୁଣ୍ଡାଇ ପୁଲିସ କଙ୍ଗାରୁ କୋର୍ଟରେ ମାଡ଼ ଖାଇଥିବା ବିଜୟନଗର ଗାଁର ଗଙ୍ଗାଧର ନାଥଙ୍କ ଘରେ ପହଞ୍ଚିଥିଲା । ଦୀର୍ଘ ସମୟ ଅପେକ୍ଷା କରିଥିଲେ ମଧ୍ୟ ଗଙ୍ଗାଧର କିମ୍ବା ତାଙ୍କ ପୁଅକୁ ପାଇ ନଥିଲା। ଭିଡିଓ ଭାଇରାଲ ପରେ ସରପଞ୍ଚମାନେ ଗଙ୍ଗାଧରକୁ କେଉଁଠାକୁ ନେଇ ମାମଲାର ରଫାଦଫା ପାଇଁ ଉଦ୍ୟମ କରିଥିଲେ। ବୁଧବାର ସକାଳ ପର୍ଯ୍ୟନ୍ତ ଗଙ୍ଗାଧର ଘରକୁ ଫେରି ନ ଥିଲେ । ସରପଞ୍ଚମାନଙ୍କ ପାଇଁ କଙ୍ଗାରୁ କୋର୍ଟରୁ ମୁକୁଳି ଆସିଲି ବୋଲି ଗଙ୍ଗାଧରକୁ ଏତଲା ଲେଖାଇ ଥିଲେ । ସେପଟେ ଲୋକେ ରାସ୍ତାକୁ ଓହ୍ଲାଇବା ପରେ ଗଙ୍ଗାଧର ପଟ୍ଟାମୁଣ୍ଡାଇ ଥାନାରେ ପହଞ୍ଚିଥିଲେ ।

ରାଜନଗର,ପଟ୍ଟାମୁଣ୍ଡାଇ, ମହାକାଳପଡ଼ା ପୁଲିସ ସହିତ ସ୍ପେଶାଲ ସ୍କ୍ୱାଡ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଧରିବା ଆରମ୍ଭ କରିଛି । ରିପୋର୍ଟ ଲେଖା ହେବା ସୁଧା ପେଟ୍ରୋଲ ପମ୍ପରୁ ଉଠାଇ ନେଇଥିବା କର୍ମଚାରୀ ବିଜୟନଗର ଗାଁର ସୁଜିତ ବିଶ୍ୱାଳ, ପେଟ୍ରୋଲ ପମ୍ପ ମାଲିକ ଅଶୋକ ପତିଙ୍କ ପୁଅ ଅରୁଣ ଓ ଅନିରୁଦ୍ଧଙ୍କ ସହିତ ବିଜୟନଗର ସରପଞ୍ଚ ସୋମନାଥ ତ୍ରିପାଠୀ, ବଳିପାଳ ସରପଞ୍ଚ ପଞ୍ଚାନନ ସ୍ୱାଇଁ, ବଳିପାଳ ସମିତି ସଭ୍ୟାଙ୍କ ସ୍ୱାମୀ ତାପସ କୁମାର ପ୍ରଧାନଙ୍କୁ ପଟାମୁଣ୍ଡାଇ ଥାନାରେ ଅଟକ ରଖାଯାଇଛି ।