ରୋଗୀଙ୍କ ଜୀବନ ସହ ଖେଳ !! ହିମୋଗ୍ଲୋବିନ ରିପୋର୍ଟ ବି ଭୁଲ ଦେଇଦେଲେ

286

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଥୋଲାବରେ ଭୁଲ୍ ରକ୍ତ ରିପୋର୍ଟକୁ ନେଇ ଖବର ପ୍ରକାଶ ପାଇବା ପରେ ସାଧାରଣରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହାକୁ ନେଇ ପ୍ରଶାସନିକ ସ୍ତରରେ ତନାଘନା ଆରମ୍ଭ ହୋଇଛି। କିଭଳି ଆଉ କେଉଁ ପରିସ୍ଥିତିରେ ବାରମ୍ବାର ଏ ପ୍ରକାର ଭୁଲ୍ ହେଉଛି, ତାକୁ ନେଇ ବିଭାଗୀୟ ସ୍ତରରେ ଛାନଭିନ ଚାଲିଥିବା ବେଳେ ଅନ୍ୟପଟେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମେଡିକାଲ୍ ପାଥୋଲାବ୍ ବିଭାଗ କେବଳ ରୋଗୀଙ୍କୁ ଭୁଲ୍ ବ୍ଲଡ୍ ଗ୍ରୁପ୍ ଦେଇଥିଲା ତା’ନୁହେଁ; ବରଂ ରିପୋର୍ଟରେ ଦର୍ଶାଇଥିବା ହିମୋଗ୍ଲୋବିନ୍ ମାତ୍ରା ବି ତ୍ରୁଟିପୂର୍ଣ୍ଣ ଥିଲା। ଅବହେଳାର ଶିକାର ହୋଇଥିବା ପାଟକୁରା ଅରିମୂଳ ଅଂଚଳର ମହିଳା ଶୁଭଶ୍ରୀ ନାୟକ(୨୬)ଙ୍କ ରିପୋର୍ଟକୁ ଦେଖିବା ପରେ ଏହା ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ମେଡିକାଲ୍ ଚିଠାରେ ଗତ ୭ତାରିଖରେ ହୋଇଥିବା ପରୀକ୍ଷାରେ ତାଙ୍କ ହିମୋଗ୍ଲୋବିନ୍ ମାତ୍ରା ୯ ପ୍ରତିଶତ ଦର୍ଶାଯାଇଥିବା ବେଳେ ଏହାର ଦୁଇଦିନ ପରେ କଟକରେ ହୋଇଥିବା ପରୀକ୍ଷାରେ କିନ୍ତୁ ତାହା ୧୨.୫ ବାହାରିଛି।

ଉଲ୍ଲେଖନୀୟ କଥା ହେଉଛି, କେନ୍ଦ୍ରାପଡ଼ାରେ ହିମୋଗ୍ଲୋବିନ୍ ମାତ୍ରା କମ୍ ଯୋଗୁଁ ଅପରେସନ୍ ବେଳେ ରକ୍ତ ଲାଗିବ ବୋଲି କୁହାଯାଇଥିବା ବେଳେ କଟକରେ କିନ୍ତୁ ଶ୍ରୀମତୀ ନାୟକଙ୍କ ପ୍ରସବ ବେଳେ ରକ୍ତର ଆବଶ୍ୟକତା ପଡ଼ିନାହିଁ। ଏପରିକି ମାତ୍ର ଦୁଇ ଦିନ ଭିତରେ ସାଢ଼େ ୩ ପ୍ରତିଶତ ହିମୋଗ୍ଲୋବିନ୍ ବଢ଼ିବାକୁ କଟକ ବଡ଼ ମେଡିକାଲର ଜଣେ ବରିଷ୍ଠ ଡାକ୍ତର ଅସମ୍ଭବ ବୋଲି ମତ ଦେବା ପରେ  କେନ୍ଦ୍ରାପଡ଼ା ମେଡିକାଲ୍ ପାଥୋଲାବରେ କିପରି ଦାୟିତ୍ବହୀନ ଭାବେ ପରୀକ୍ଷା କରାଯାଇ ରୋଗୀଙ୍କ ଜୀବନ ସହ ଖେଳ ଖେଳାଯାଉଛି, ତାହା ଧରାପଡ଼ିଯାଇଛି।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବଦଳି ଯାଉଛି ରୋଗୀଙ୍କ ବ୍ଲଡ୍ ଗ୍ରୁପ୍। ପାଥୋଲବ୍ ବିଭାଗ ଗୋଟିଏ ବ୍ଲଡ୍ ଗ୍ରୁପ୍ ଦର୍ଶାଇ ରକ୍ତ ଆଣିବାକୁ ପଠାଉଥିବା ବେଳେ ବ୍ଲଡ୍ ବ୍ୟାଙ୍କରେ କିନ୍ତୁ ପରୀକ୍ଷଣ ପରେ ତାହା ବଦଳି ଯାଉଛି। ଗତ ତିନି ମାସ ଭିତରେ ପାଥୋଲବର ଏପରି ତିନିଟି ଭୁଲ୍ ରିପୋର୍ଟକୁ ବ୍ଲଡ୍ ବ୍ୟାଙ୍କ ଧରିଥିବା ଘଟଣା ସାମ୍ନାକୁ ଆସିବା ପରେ ଆଲୋଡ଼ନ ଖେଳି ଯାଇଛି। ଅରିମୂଳ ଅଂଚଳର ଶ୍ରୀମତୀ ନାୟକଙ୍କ ‘ଏ-ପଜିଟିଭ୍’ ବ୍ଲଡ୍ ଗ୍ରୁପ୍ ହୋଇଥିବା ବେଳେ ପାଥୋଲାବ୍ ରିପୋର୍ଟରେ କିନ୍ତୁ ତାହା ଦର୍ଶାଯାଇଥିଲା ‘ଓ-ପଜିଟିଭ୍’। କେବଳ ଶ୍ରୀମତୀ ନାୟକ ନୁହନ୍ତି; ପ୍ରକାଶ ଚନ୍ଦ୍ର ମଲ୍ଲିକ, ନିର୍ମଳ ଚନ୍ଦ୍ର ଦାସଙ୍କ କ୍ଷେତ୍ରରେ ବି ସମାନ ଅବସ୍ଥା ଘଟିଥିଲା।

ପ୍ରକାଶଙ୍କ ବ୍ଲଡ ଗ୍ରୁପ୍ ‘ବି-ପଜିଟିଭ୍’ ହୋଇଥିବା ବେଳେ ପାଥୋଲବ୍ ରିପୋର୍ଟ ଦେଇଥିଲା ‘ଏବି-ପଜିଟିଭ୍’। ଅନୁରୂପ ଭାବେ ନିର୍ମଳଙ୍କର ‘ଓ-ପଜିଟିଭ୍’ ପରିବର୍ତେ ‘ବି-ପଜିଟିଭ୍’ ଦର୍ଶାଯାଇଥିଲା। ଏ ନେଇ ଖବର ପ୍ରକାଶ ପାଇବା ପରେ ଅବହେଳାର ଶିକାର ହୋଇଥିବା ଅରିମୂଳ ଅଂଚଳର ଶ୍ରୀମତୀ ନାୟକ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। କହିଛନ୍ତି, ‘‘ଅବହେଳା ଓ  ପାଥୋଲାବର ଭୁଲ୍ ରିପୋର୍ଟ ଯୋଗୁଁ କେନ୍ଦ୍ରାପଡ଼ା ମେଡିକାଲରେ ପ୍ରସବ ପାଇଁ ସୁରକ୍ଷିତ ମନେ କଲୁ ନାହିଁ। ବାଧ୍ୟହୋଇ କଟକ ଯିବାକୁ ପଡ଼ିଲା। ତାଙ୍କ ସ୍ବାମୀ ସୁଚିତ୍ର ଖୁଣ୍ଟିଆଙ୍କ କହିବାନୁଯାୟୀ, ଡିସେମ୍ବର ୭ତାରିଖରେ କେନ୍ଦ୍ରାପଡ଼ାରେ ପରୀକ୍ଷାରେ ବ୍ଲଡ ଗ୍ରୁପ୍ ‘ଓ ପଜିଟିଭ୍’ ଏବଂ ହିମୋଗ୍ଲୋବିନ୍ ୯ପ୍ରତିଶତ ଦର୍ଶାଇଥିଲେ। ଅପରେସନ୍ ପାଇଁ ରକ୍ତ ଦରକାର ପଡ଼ିବ ଏବଂ ୯ ତାରିଖରେ ଆସବାକୁ କହିଥିଲେ। ତଦନୁଯାୟୀ, ସୋମବାର ଯିବା ପରେ ରକ୍ତ ଆଣିବାକୁ କୁହାଯାଇଥିଲା। ମାତ୍ର ବ୍ଲଡବ୍ୟାଙ୍କରେ ବ୍ଲଡ ଗ୍ରୁପ୍ ‘ଏ-ପଜିଟିଭ୍’ ବାହାରିଲା। ଯେହେତୁ ପତ୍ନୀଙ୍କ ଗର୍ଭବସ୍ଥାରେ ପୂର୍ବରୁ ଘରୋଇ ହସ୍ପିଟାଲରେ ହୋଇଥିବା ପରୀକ୍ଷାରେ ଏ-ପଜିଟିଭ୍ ବାହାରିଥିଲା; ତେଣୁ ପାଥୋଲାବ୍ ପରୀକ୍ଷା ଏବଂ ରକ୍ତ ଲାଗିବ ବୋଲି ଡାକ୍ତର କହିବାକୁ ବିଶ୍ବାସ କରି ହେଲାନାହିଁ। ତେଣୁ ସେହିଦିନ କଟକ ଯାଇ ଏକ ହସ୍ପିଟାଲରେ ପତ୍ନୀଙ୍କୁ ଭର୍ତ୍ତି କଲି। ସେଠାରେ ପୁନଶ୍ଚ ରକ୍ତ ପରୀକ୍ଷାରେ ହିମୋଗ୍ଲୋବିନ୍ ୧୨.୫ ଏବଂ ପ୍ରସବରେ ରକ୍ତର ଆବଶ୍ୟକତା ପଡ଼ିବନି ବୋଲି କହି ଡାକ୍ତର ସଫଳତାର ସହ କନ୍ୟା ସନ୍ତାନ ପ୍ରସବ କରାଇଥିଲେ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି।

ଅନ୍ୟପକ୍ଷରେ କଟକ ବଡ଼ ମେଡିକାଲ୍ ମେଡିସିନ୍ ବିଭାଗର ବରିଷ୍ଠ ଡାକ୍ତର କହିଛନ୍ତି, ରିପୋର୍ଟରେ ଗୋଟିଏ ପ୍ରତିଶତ କମ୍/ବେଶୀ ହୋଇପାରେ। ମାତ୍ର ଦୁଇ ଦିନ ଭିତରେ ମଣିଷ ଶରୀରରେ ହିମୋଗ୍ଲୋବିନ୍ ମାତ୍ରା ସାଢ଼େ ୩ପ୍ରତିଶତ ବୃଦ୍ଧି ଅସମ୍ଭବ। ଏହା ସଂପୂର୍ଣ୍ଣ ଭୁଲ୍ ରିପୋର୍ଟ ବୋଲି ସେ କହିଛନ୍ତି। ଏଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉର୍ମିଳା ମିଶ୍ର କହିଛନ୍ତି, କିଭଳି ଏପରି ଘଟିଲା, ସେ ସଂପର୍କରେ ବିଭାଗୀୟ ସ୍ତରରେ ଯାଂଚ କରାଯିବ।