କନକ ବ୍ୟୁରୋ :  ବି-ଟେକ୍ ଇଞ୍ଜିନିୟରଙ୍କ ଚାଷ କରିବାର ନିଶା । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ପୋଟିଆ ଗାଁର ଇଲେକ୍ଟ୍ରିକାଲ୍ ଇଂଜିନିୟର ବିରଂଚି ନାରାୟଣ ପରିଡା । ବାହାର ରାଜ୍ୟରେ ରହି ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ହେଲେ ସେଥିରେ ତାଙ୍କ ମନଲାଗିନଥିଲା । ଏବେ ନିଜସ୍ୱ ଉଦ୍ୟମରେ ନିଜେ ରୋଜଗାର କରୁଛନ୍ତି । ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ପିଲାଦିନୁ ଚାଷ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । ତେଣୁ ଗାଁକୁ ଫେରି ପଡ଼ିଆ ପଡ଼ିଥିବା ୨ ଏକର ଜମିରେ ପୋଖରୀ ଖୋଳି ମାଛ ଚାଷ କରୁଛନ୍ତି । ପୋଖରୀରେ ରୋହି, ଭାକୁର, ମିରକାଳି, ରୁପ୍ଚାନ୍ଦି ଭଳି ମାଛ ଚାଷ କରିଛନ୍ତି । ୨୦୨୦ରୁ ଆରମ୍ଭ ହୋଇଥିବା ଏହି ଚାଷ ଏବେ ତାଙ୍କୁ ଭଲ ଲାଭ ଦେଉଛି ।

 ମାଛ ଚାଷରୁ ଲାଭବାନ ହେବା ପରେ ଛେଳି ଚାଷ ଆରମ୍ଭ କରିଛନ୍ତି ବିରଂଚି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୮ ଲକ୍ଷ ୭୮ ହଜାର ଟଙ୍କା ରୁଣ ନେଇ ସେ ଛେଳି ଫାର୍ମ କରିଛନ୍ତି । ସୋଜତ, ବିଟଲ, ବ୍ଲାକ୍ ବେଙ୍ଗଲ, ପାଟଣି ପ୍ରଜାତିର ୪୫ରୁ ଅଧିକ ଉନ୍ନତ ମାନର ଛେଳି ତାଙ୍କ ଫାର୍ମରେ ରହିଛି । ଛେଳି ଫାର୍ମ ଓ ମାଛ ଚାଷରେ ସହଯୋଗ କରିବା ପାଇଁ  ବିରଂଚି ସ୍ଥାନିୟ ଅଂଚଳର ଦୁଇ ଜଣ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି । ସେମାନଙ୍କୁ ମଧ୍ୟ କିଛି ରୋଜଗାର ମିଳିପାରୁଛି । ଦୁଇ ବର୍ଷ ହେଲା ସେ ଛେଳି ଚାଷ କରି ଲାଭବାନ ହେଉଛନ୍ତି ।

 ମାଛ ଚାଷରୁ ବାର୍ଷିକ ୫ ଲକ୍ଷ ଓ ଛେଳି ଚାଷରୁ ବାର୍ଷିକ ୧୦ ଲକ୍ଷ ଟଙ୍କ ରୋଜଗାର ମିଳୁଥିବା କହିଛନ୍ତି ବିରଂଚି । ମାଛ ଓ ଛେଳି ଚାଷରେ ସଫଳତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେ ପୁରସ୍କୃତ ହୋଇଛନ୍ତି ।