କେନ୍ଦ୍ରାପଡା ନିକିରାଇ ଥାନା ଏଏସଆଇଙ୍କୁ ଆକ୍ରମଣ ଘଟଣା । ଦେଢମାସ ପରେ ବି ଆକ୍ରମଣକାରୀଙ୍କୁ ଗିରଫ କରିପାରିନି ପୋଲିସ

84

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ନିକିରାଇ ଥାନା ଏଏସଆଇଙ୍କୁ ଆକ୍ରମଣ ଘଟଣାକୁ ଦେଢମାସ ବିତିଯାଇଥିଲେ ମଧ୍ୟ ଆକ୍ରମଣକାରୀ ଏବେ ଖୁଲମଖୁଲା ବାହାରେ ବୁଲୁଛି । ତେବେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି । ଆକ୍ରମଣକାରୀ ଇନ୍ଦ୍ର ମଲିକ ଶାସକ ଦଳର ଛାତ୍ର ନେତା ହୋଇଥିବାରୁ ତାଙ୍କୁ ଗିରଫ କରାଯାଉନଥିବା ଅଭିଯୋଗ ହୋଇଛି । ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡ଼ିରେ ସାମିଲ ହୋଇଥିଲା ନିକିରାଇ ଅଂଚଳର ଇନ୍ଦ୍ର ମଲିକ ।

ତେବେ ଅକ୍ଟୋବର ୧୭ରେ କୌଣସି କାରଣ ନଥାଇ ନିକିରାଇ ଥାନାର ଏଏସଆଇ ପ୍ରକାଶ ଚନ୍ଦ୍ର ନାୟକଙ୍କୁ ଥାନା ନିକଟରେ କାର୍ଯ୍ୟରେ ଥିବା ବେଳେ ଅସଭ୍ୟଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରି ହତ୍ୟା ଉଦ୍ୟମ କରିଥିଲା । ଏହି ଘଟଣା ପରେ ନିକିରାଇ ଥାନା ଏଏସଆଇ ଏତଲା ଦେଇଥିଲେ । ତେବେ ଆକ୍ରମଣ ଘଟଣାକୁ ଦେଢମାସ ବିତିଯାଇଥିଲେ ମଧ୍ୟ ପୋଲିସ ଅପରାଧୀକୁ ଗିରଫ କରିନାହିଁ ।

ଅନ୍ୟପଟେ ଶାସକ ଦଳର ରକ୍ତଦାନ କାର୍ଯ୍ୟକ୍ରମ ଏବଂ ଅନେକ ସଭା ସମିତି କାର୍ଯ୍ୟକ୍ରମରେ ଅଭିଯୁକ୍ତଙ୍କୁ ଦେଖିବାକୁ ମିଳୁଥିବା ବେଳେ ପୋଲିସ ଅପରାଧୀକୁ ପାଉନଥିବା ଏବେ ପ୍ରଶ୍ନ ସୃଷ୍ଟି କରିଛି । ଦଫା ୩୧୪, ୨୯୪,୩୨୩, ୩୫୪, ୩୦୭ ଏବଂ ୫୦୬ ଦଫାରେ ମାମଲା ରୁଜୁ ହୋଇଛି । କିନ୍ତୁ ପୋଲିସ ଏହି ଘଟଣାରେ ଚୁପ୍ ବସିଛି । ପୂର୍ବରୁ ଏହି ଅପରାଧୀ ନାଁରେ ୨ଟି ମାମଲା ରହିଛି ।