କେନ୍ଦ୍ରାପଡା ପୋଲିସ ପକ୍ଷରୁ ଜନସମ୍ପର୍କ ଶିବିର : ପୋଲିସ ଓ ଜନତାଙ୍କ ମଧ୍ୟରେ ନୂଆ ସମ୍ପର୍କ ବାନ୍ଧିବା ପାଇଁ ଜିଲ୍ଲା ପୋଲିସର ପ୍ରୟାସ 

35

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବତୀଘର ପଂଚାୟତରେ ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ପୋଲିସ ଜନସମ୍ପର୍କ ଶିବିର । ଜିଲ୍ଲାରେ ପ୍ରଥମ କରି ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ଏବଂ ସାଧାରଣ ଲୋକମାନଙ୍କ ମଧ୍ୟରେ ଏକ ନୂଆ ସମ୍ପର୍କର ଡୋରି ବାନ୍ଧିବା ପ୍ରୟାସ କରିଛନ୍ତି ଜିଲ୍ଲା ପୋଲିସ । ପୋଲିସ ଏବଂ ଜନସାଧାରଣ ମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନା ସହିତ ଆଇନ କାନୁନ ବିଷୟରେ ସଚେତନ କରିବା ଏହି କାର୍ଯକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।

ସଡକ ପଥରେ ଯୋଗାଯୋଗ ନଥିବା ଏବଂ  ନଦୀ ନାଳ ଘେରା ଉପାନ୍ତ ଅଂଚଳ ବତୀଘର ପଂଚାୟତରେ ବସବାସ କରୁଥିବା ହଜାର ହଜାର ଲୋକ କୌଣସି ସମସ୍ୟାରେ ପଡିଲେ ଡଙ୍ଗାରେ ଯାଇ ପୋଲିସ ନିକଟରେ ପହଁଚିବା ଏତେଟା ସହଜ ହୋଇନଥାଏ  । ତେଣୁ ପୋଲିସ ବତୀଘର ପଂଚାୟତରେ ଏକ ଜନସମ୍ପର୍କ ଶିବିରର ଆୟୋଜନ କରି ଲୋକ ମାନଙ୍କର ସମସ୍ୟା ବୁଝିବା ସହିତ ନିଜେ ଏସ୍ ପି ମଦକର ସମ୍ବିତ୍ ସମ୍ପଦ ଉପସ୍ଥିତ ରହି ଏକ ଜନଶୁଣାଣି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ  । ପୋଲିସ କର୍ମଚାରୀମାନେ ଛୋଟ ପିଲାମାନଙ୍କୁ ଚକଲେଟ୍ ମଧ୍ୟ ବାଂଟିଥିଲେ ଯାହା ସ୍ଥାନିୟ ଲୋକମାନଙ୍କ ମଧ୍ୟରେ ପୋଲିସ ପ୍ରତି ଏକ ଆପଣାର ମନୋଭାବର ପରିପ୍ରକାଶ ପାଇଥିଲା  ।