ଶ୍ରୀକ୍ଷେତ୍ର ପରେ ତୁଳସୀକ୍ଷେତ୍ରରେ ଗଡୁଛି ରଥ । ଭାବର ଡ଼ୋରୀରେ ରଥକୁ ଟାଣି ଟାଣି ନେଉଛନ୍ତି ଶ୍ରଦ୍ଧାଳୁ ।

86

କନକ ବ୍ୟୁରୋ: ପବିତ୍ର ରଥଯାତ୍ରା ଅବସରରେ କେବଳ ଶ୍ରୀକ୍ଷେତ୍ର ନୁହେଁ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ମଧ୍ୟ ବଳଦେବଜୀଉଙ୍କୁ ଲୀଳାଖେଳାରେ ପ୍ରକମ୍ପିତ ହେଉଛି । ପବିତ୍ର ତୁଳସୀ କ୍ଷେତ୍ର ‘କେନ୍ଦ୍ରାପଡ଼ା’ ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବ ଜିଉ ଭାଇ ଶ୍ରୀଜଗନ୍ନାଥ ଓ ଭଉଣୀଙ୍କ ସହିତ ରଥଯାତ୍ରାରେ ବାହାରିଛନ୍ତି । ଆଜି ୩ଟା ୧୫ରେ ତିନି ଠାକୁରଙ୍କର ପହଣ୍ଡି ବିଜେ ହୋଇଥିଲା । ପହଣ୍ଡି ସମୟରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ହରିବୋଳ-ହୁଳହୁଳିରେ ମନ୍ଦିର ପରିସର କମ୍ପି ଉଠୁଥିଲା। ଅପରାହ୍ଣ ସାଢ଼େ ୪ଟା ବେଳକୁ ତିନି ଠାକୁର ବିଶ୍ୱର ବଡ଼ ରଥ ‘ବ୍ରହ୍ମ ତାଳଧ୍ୱଜ’ରେ ଚଢ଼ି ସାରିଥିଲେ।

ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ରଥଯାତ୍ରା ପରଂପରା ନିଆରା। ଏଠାରେ ରଥଯାତ୍ରା ଅବସରରେ ଭକ୍ତମାନେ ରଥକୁ ମାତ୍ର ୨୦୦ ମିଟର ଟାଣିଥାନ୍ତି । ରଥଯାତ୍ରାର ପରବର୍ତ୍ତୀ ଦିନରେ ଠାକୁରଙ୍କ ରଥ ଆଗକୁ ନିଆଯାଇଥାଏ । ତେବେ ପୁରୀ ଭଳି ଏଠାରେ ମଧ୍ୟ ଶ୍ରୀଜିଉଙ୍କ ନୀତିକାନ୍ତି ସମାପନ ହେବା ପରେ ତିନି ଠାକୁର ବିଶ୍ୱର ବଡ଼ ରଥ ‘ବ୍ରହ୍ମ ତାଳଧ୍ୱଜ’ରେ ଚଢ଼ିଥିଲେ । ଆଉ ଯେଉଁ ମୁହୂର୍ତ୍ତକୁ ଭକ୍ତ ଅପେକ୍ଷା କରିଥିଲା ତାହା ଆଜି ପୂରଣ ହୋଇଛି । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନ ପବିତ୍ର ରଥଯାତ୍ରାରେ ଦେଖିବାକୁ ମିଳିଛି ।